Unknown

 

 

 

 

 

 

 

 

 

ଗୀତିମାଳା

ପଣ୍ଡିତ ରଘୁନାଥ ମିଶ୍ର

ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ର

 

ସୂଚୀପତ୍ର

 

୧.

ନର ନାରାୟଣ

୨.

ଅନ୍ଧ ପିଲା

୩.

ସୂର୍ଯ୍ୟମୂଖୀ

୪.

ନିଦାଘ ସରସୀ

୫.

କୋଇଲି

୬.

ମାୟାମୃଗ

୭.

ଭାଇ

୮.

ଅନାଥ ଶିଶୁ

୯.

ଋଷିକୁଲ୍ୟାର ମିନତି

୧୦.

ଗଣ୍ଠିଧନ-ସାଥୀ

୧୧.

କନିକା ନୃପ କୁମାରୀ

୧୨.

ଆରାଧ୍ୟ

୧୩.

ମୁଣ୍ଡବଳି

୧୪.

ଭିକ୍ଷାଦେବେ କାହୁଁ

୧୫.

ମା ନା ଦେଶ ?

୧୬.

ଅମର ବାଳକ

୧୭.

ମର୍ତ୍ତ୍ୟେ ନାହିଛି ଏକା

୧୮.

ବୁଜିଦେଲା ଆଖି

୧୯.

ଭାଉପୁର ନ୍ୟାୟ

୨୦.

ମଧୁସୂଦନ

୨୧.

ଗଡ଼ରକ୍ଷା

୨୨.

ପିଲାଟି

୨୩.

ଯାମସେଦପୁରେ

୨୪.

ମରାଳ ଦମ୍ପତି

୨୫.

ସୈନିକର ସମ୍ମାନ

୨୬.

ସ୍ୱର୍ଣ୍ଣକ୍ଷରେ

୨୭.

ରାଜାଙ୍କ ମାଂସ ଦାନ

୨୮.

କାଶିଆ କପିଳା ଭେଟ

୨୯.

ଆହା ମୋର ଗଣ୍ଠିଧନ

୩୦.

ପଦରଜ ମାତ୍ର

୩୧.

ସାନ୍ଧ୍ୟତାରା

୩୨.

ଘେନ ଏ ପଟକ

୩୩.

ଧନର ଗତି

୩୪.

ବଡ଼ଠାକୁର

☆☆☆

 

ନର-ନାରାୟଣ

 

ନିଦଭରେ ଗଣପତି ଶୋଇଥିଲେ ଦିନେ,

ନିଶୀଥ ସପନୁ ଉଠି ବସିଲେ ଆସନେ ।

ଦେଖନ୍ତି ପ୍ରକୋଷ୍ଠ ବିଧୁ ରଜତ ଉଜଳି,

ପୂର୍ଣ୍ଣ ପ୍ରସ୍ଫୁଟିତ ନବ କୁମୁଦରୁ ବଳି,

ତଳପ ସମୀପେ ତାଙ୍କ ହୋଇଛନ୍ତି ଉଭା

କନକ ପୁସ୍ତକ କରେ ଋଷିଜନ କିବା।

ଚାଲନ୍ତି ଲେଖନୀ ଧୀରେ ଉଦାସ ଅନ୍ତରେ,

କି ଲେଖନ୍ତି ସେ ପୁସ୍ତକେ ସେହୁ ଥରେ ଥରେ ।

ପ୍ରଶାନ୍ତ ମୂରତି ତାଙ୍କ ନିରେଖି ନୟନେ,

ପୁଚ୍ଛିଲେ ନିର୍ଭୟେ ଗଣପତି ଋଷିଜନେ—

‘‘କି ଲେଖିଛ ?’’ ଋଷି ତହୁଁ ଟେକି ଧୀରେ ଶିର,

ସୁଧା ଢଳଢଳ ନେତ୍ରେ ଭାଷିଲେ ଉତ୍ତର—

‘‘ବିଭୁଙ୍କ ପୟରେ ଯେତେ ଏ ଜଗତ ଜନ

ସେନେହେ ନୁଆଁନ୍ତି ମଥା, ଲେଖେ ତାଙ୍କ ନାମ ।’’

‘‘ମୋ ନାମ ଲେଖିଛ ?’’ ପୁଚ୍ଛାକଲେ ଗଣପତି,

‘‘ନାହିଁ, ଲେଖିନାହିଁ,’’ ଋଷି କହିଲେ ଲେଉଟି ।

ନୈରାଶ୍ୟେ ନଇଁଲା ସ୍ୱର, ତେବେ ଭାତେ ମୁଖେ

ଆଶା ଜ୍ୟୋତି, ଗଣପତି ବଖାଣିଲେ ସୁଖେ—

‘‘ଏତିକି ମାଗୁଣି ପଦେ, ଲେଖ ପ୍ରଭୁ ମୋରେ—

‘ଏ ଜଣେ, ସେନେହେ ଯେହୁ ଘେନେ ନାରୀ ନରେ’

ଲେଖିସାରି, ଋଷି ତହୁଁ ହେଲେ ଅନ୍ତର୍ଦ୍ଧାନ,

ନିଶୀଥେ ଆସିଲେ ପୁଣି ତହିଁ ଆରଦିନ ।

ଶ୍ରୀଅଙ୍ଗ କିରଣ ଝଳି ମଣ୍ଡଇ ଅବନୀ,

ଦେଖାଇଲେ ହାତେ ସ୍ୱର୍ଣ୍ଣ ପୁସ୍ତିକାଟି ଘେନି ।

ବିଭୁଙ୍କ ପୟରେ ଯେତେ ଏ ଜଗତ ଜନ

ସେନେହେ ନୁଆଁନ୍ତି ମଥା, ସେ ସଭିଙ୍କ ନାମ ।

ସର୍ବୋପରି, ଗଣପତି ଦେଖନ୍ତି ଚକିତ,

ନିଜ ନାମ ଲେଖା ଅଛି କନକ-ଅଙ୍କିତ ।

☆☆☆

 

ଅନ୍ଧ ପିଲା

 

କି ଦ୍ରବ୍ୟ ଆଲୁଅ କହ ତୁମେ ସର୍ବେ

ମୁଁ ତ ଜାଣିପାରୁ ନାହିଁ,

ଚକ୍ଷୁ ଥିଲେ ଚିତ୍ତେ କି ସୁଖ ଉପୁଜେ,

ଏ ଅନ୍ଧରେ ଦିଅ କହି ।

ଦେଖୁଛ ବିଚିତ୍ର ଛବି ବୋଲି କହ,

ଉଜଳ ତପନ ଶିରୀ,

ମୁଁ ଭୋଗେ ତପତି ତାର, ସେ କେସନେ

ଦିନ ରାତି ପାରେ କରି ?

ମୋ ଦିନ ରାତି ତ ନିଜେ ମୁଁ କରୁଛି

ଖେଳ ନିଦ୍ରା ଅନୁକ୍ରମେ;

ଏ ସାରା ଜୀବନେ ନ ଶୁଅନ୍ତି ଯେବେ,

ରାତି କି ହୁଅନ୍ତା ଦିନେ ?

ମୋ ଲାଗି ଦୁଃଖିତେ ଭାଳୁଚ ନିରତେ

ଶୁଣୁଛି ବିଷାଦେ ମୁହିଁ;

ଜାଣିନ ଯେ ସୁଖ, ହରାଇ ତାରେ, ମୁଁ

ମିଛେ କିପାଁ ହେବି ଦହି ?

ଭାଗ୍ୟେ ଲେଖି ନାହିଁ ବିହି ଯା, ବିଅର୍ଥେ,

ଝୁରିବି କିପାଇଁ ତାରେ ?

ଗାଉଥିଲାଯାଏ ଏ ଗୀତ, ରଜା ମୁଁ

ଅନ୍ଧ ପିଲାଟିଏ ହେଲେ ।

☆☆☆

 

ସୂର୍ଯ୍ୟମୁଖୀ

 

କେତେ ତରୁଲତା ଉପବନେ ଏଥି

ଶ୍ୟାମଳ ସୁବେଶେ ବିକଶନ୍ତି ନିତି ।

ଡାଳୁ ଡାଳେ ଝରି ପଡ଼ଇ ମାଧୁରୀ,

ଉଛୁଳଇ ପତ୍ର କିଶଳୟ ପୂରି ।

ସୁଧାସ୍ରୋତ ସମ ବହଇ ସମୀର

କୁଞ୍ଜୁ କୁଞ୍ଜେ ବୀଚି ଖେଳାଇ ରୁଚିର ।

ଡାଳେ ଡାଳେ ପତ୍ର ଶ୍ୟାମଳ ଗହଳେ

ଲୁଚି ପରଭୃତ ଗାଏ କି ମଧୁରେ ।

ଏ ସକଳ ମେଳେ ଛବିଳ ମଉନେ

ରହିଛୁ ରେ ଫୁଲ, କି ଗୂଢ଼ ଧିଆନେ ?

ରାତି ଉଜାଗରେ ବସୁ ତୁ ଅନାଇଁ

ଉଷା-ଅଙ୍କେ ରବି ଉଇଁବାର ପାଇଁ ।

ପାହାନ୍ତି ତପନେ ପାଟଳିମା ଶିରୀ,

କି ଅଛି ମହୀରେ ହେବ ତାର ସରି ?

ତହିଁ ତୁ ପୁଲକେ ପରାଣ ନିବେଶି,

ସେ ଶୋହା-ସମ୍ଭାରେ ନିତି ଯାଉ ମିଶି ।

ଉଚ୍ଚୁ ଉଚ୍ଚେ ରବି ଯାଏ ଅପସରି,

ତା ତୁଲେ ଢଳଇ ତୋ ବଦନ ଶିରୀ ।

ସେ ରବି ଦୋସର ପ୍ରତୀଚୀ ଭୂଧରେ

ପାଟଳ ହିଲ୍ଲୋଳେ ବୁଡ଼ିଯିବା ବେଳେ

କି ଭାଳି ତୁରିତେ ଘେନି ତୋ ମେଲାଣି,

ରାତି ଉଜାଗରେ ବସିରହୁ ପୁଣି ।

ଦିନୁ ଦିନ ରବି ରୂପ ଅନୁସରି,

ପୂରବୁଁ ପଶ୍ଚିମେ ଯାଉ ଢଳି ଢଳି ।

ଏ ଯେ ଏ ମରତେ ସରଗ-ସମ୍ଭାର,

ପରାଣ ପୁଲକେ ସୁଖେ ଖେଳିବାର;

ଦିନେ କି ମନୁ ମୁଁ ପାରିବି ବିସୋରି ?

ରହିବି କେମନ୍ତେ ମୂରୁଛି ଏ ଶିରୀ ?

ଗୋଲାପ, ମନ୍ଦାର, ବକୁଳ, ମାଳତୀ,

ଯୂଇ, ଜାଈ, ମଲ୍ଲୀ, ନିଆଳୀ, ସେବତୀ—

କେତେ କେତେ ଫୁଲ ମଧୁ ସଉରଭେ

ଉପବନେ ଏଥି ନାଚନ୍ତି ଗରବେ ।

ଗୋଟିରୁ ଗୋଟିଏ ବଳି ବିମୋହନ

ବନଦେଶେ କିବା ଛବି ଅତୁଳନ !

ଗୋଟି ଗୋଟି ହୋଇ ଖେଳି କିଶଳୟେ,

ଭସାଇ ଦିଅନ୍ତି ସୁରଭି ମଳୟେ ।

ଏସବୁରୁ ବଳି ମଧୁର ଆହୁରି,

ତୋ ବଦନ ଧୀର ବିନୟ ମାଧୁରୀ,

ଏ ଯେ ତୋର ଚାରୁ ସରଗ ପୀୟୂଷ,

କନକ ବଦନେ ମୃଦୁ ମଧୁହାସ,

କି ଅଛି ଜଗତେ ହେବ ତାକୁ ସରି,

ଫୁଟାଇ ତା ପାଶେ ଦେଖାଇବ ଶିରୀ ?

ତହୁଁ ବଳି ପୁଣି ଏ ଗୂଢ଼ ଧିଆନ,

ସୁଖେ ଦୁଃଖେ ସମ ମନ ସନମାନ ।

ଢାଳିଥାଅ, ଫୁଲ, ଢାଳିଥା ରେ ରହି,

ତୋ ମନ ନୟନ ଦୂରୁ ଦୂରେ ତହିଁ ।

ଯେତେ ଦିନ ଫୁଟି ଶୋହିବୁ କାନନେ,

ବସି ଚାହିଁଥାଅ ପୁଲକ ମଉନେ ।

☆☆☆

 

ନିଦାଘ ସରସୀ

 

ଶୁଖିଛି ମୋ ସାରା ସୁନୀଳ ଜଳଧି

ଆତପେ ହୋଇଛି ଲୀନ;

ବିଲ ପଦା ମାଳେ ମିଶି ସେ ମୋ ତନୁ

କିବା ଆହା ହୀନିମାନ !

ଜଳ-ଦରପଣେ ମୁକ୍ତା ପ୍ରତିଫଳେ

ସମୀରେ ଖେଳାଇ ଶିର,

ରବି-ହେମକର- ଅଲକ୍ଷ୍ୟ-ପରଶେ

ବିସୋରି ଜୀବନ ଭାର ।

କମଳ-କଳିଟି ବିକଶୁ ଯେ ଥିଲା

ଅବନୀ ଗଗନ ମୋହି,

ଜୀବନ ପ୍ରଭାତେ ଚିତା-ତଳପେ ତା

ମଉନେ ପଡ଼ିଛି ଶୋଇ !

ବାଟର ବଟୋଇ ବାଟେ ଚାଲିଯାଏ

ଉଦାସ ଚରଣେ ଆଜି,

ନିମିଷେ କି ଚିତ୍ତେ ଭାଳେ ମୋ ବିଗତ

ସୋହାଗ ସମ୍ପଦରାଜି ?

କି ଅଛି ମୋର ଯେ ପଖାଳି ଦେବି ତା

ଧୂଳି-ବିଲେପିତ ପାଦ,

ମୋ ସୁଧା-କଣିକା ଅରପି ହରିବି

ମନୁ ମନ-ଅବସାଦ ?

ନିଶି-ଶଶିସ୍ମିତେ ହସନ୍ତେ ଯା କୋଳେ

ବଦନ ରଜତ ହାସେ,

କୋଟି କଇଁ-କଳି, ତା ତନୁ ପୂରିଛି

ବନ କଣ୍ଟା ବୁଦା ଘାସେ ।

ଯେତେ ମୋ ସମ୍ପଦ, ସରିଛି ସକଳ,

ଋତୁ ଆବର୍ତ୍ତନେ ବୁଲି,

ଦୀନହୀନ ବେଶେ ଦିବା-ନିଶି ନିତି

ପଡ଼ି ମୁଁ ହେଉଛି ଘାରି ।

ଜଳବେଣୀ-ବକ୍ଷେ ସନ୍ତରନ୍ତେ ସୁଖେ

ଶତ ଜଳଚର ଯହିଁ,

ଶୃଗାଳ କୁକୁର ବିକଟ ନିନାଦେ

ବୁଲନ୍ତି କ୍ଷୁଧାର୍ତ୍ତ ହୋଇ ।

ଆଉ କିପାଁ ନଭେ ନବୀନ ଜଳଦ,

ଢାଳୁଛ ସଲିଳ ଧାରା;

ନିଠୁର ସେନେହେ ତିନ୍ତାଉଛ ମିଛେ,

ଏ ତନୁ-ତାପିତ ଭାରା ?

ଅଧେ ମୁଁ ଜଳିଛି ଯେ ଭୀମ ଆତପେ,

ପୂରାଇ ଜାଳିବ ତହିଁ;

ଘନ ବାରିଧାରା, ତଟିନୀ ପ୍ରବାହେ

ଆଉ ତ ଭୁଲିବ ନାହିଁ ।

ଗିରିଶିଳା-ଶିରେ ବରଷ ହରଷେ,

ସାଗର-ସିକତା-ଶେଯେ,

ମୋ ଭଳି ସହସ୍ର ନିରେଖ ଆଶ୍ରିତେ

ବୁଡ଼ାଇ ବିଷାଦ ଲାଜେ ।

☆☆☆

 

କୋଇଲି

 

ଆସ, ଆସ ନବ ଉସତ ଅତିଥି

ମୁଦେ ମୁଁ ଶୁଣିବି ତୋ କଣ୍ଠ ସ୍ୱନ

ଚଢ଼େଇଟି ବୋଲି ବୋଲିବି କି ତୋତେ,

କି ଅବା ଉଡ଼ନ୍ତ ଅମୀୟ ତାନ ?

ପଦା ଘାସ ତଳ୍ପୁଁ ଡେରି ମୁଁ ଶ୍ରବଣ,

ଶୁଣିଛି, ପିକ, ତୋ ପଞ୍ଚମ ସ୍ୱର;

ଗଛୁ ଗଛେ ଉଡ଼ିଯାଏ ସେ କ୍ଷଣକେ,

ପାଖେ ଶୁଭି ପୁଣି ହୁଅଇ ଦୂର ।

ବନ କାନେ ସିନା କହୁ ତୁ ଗୁପତେ,

‘‘ଆସୁଛି ମଳୟ ସୁମନ ଘେନି;’’

ନିମିଷେ ମୋ ହୃଦେ ଖେଳାଉ, କୋଇଲି,

ବିଚିତ୍ର ଅତୀତ ସ୍ୱପନେ ଆଣି ।

ଆଆ ଆଆ ଆଆ, ବସନ୍ତ ଦୂତ ରେ,

ପକ୍ଷୀ ଛାର କେହ୍ନେ ମଣିବ ତୋତେ ?

ଦେଖିଛ ତ ତୁ କି ଅଦେହ ପ୍ରତିମା,

ସ୍ୱରେ ମାତ୍ର ଗଢ଼ା ହୋଇଛୁ ସତେ ।

ବାଳୁତ ବୟସେ ସୁଖ ଦୁଃଖେ କେତେ

ଶୁଣିଛି ହରଷ ଚିତ୍ତେ ତୋ ଗୀତି;

ଶୁଣି, ଖୋଜି ତୋତେ କେତେ ଚାହୁଁ ଥିଲି,

ଗଛ ବୁଦା ଲତା ଗହଳେ ନିତି ।

ତୋ ପଛେ ଗୋଡ଼ାଇ କେତେ ବୁଲୁଥିଲି

ବନୁଁ ବନେ, ମାଳୁଁ ମାଳେ ମୁଁ ଧାଇଁ;

ଦିନେ ହେଲେ, ପିକି, ତୋ ରୂପ ନେତ୍ରେ ମୁଁ

ଦେଖିଥାନ୍ତି ଆହା କ୍ଷଣକ ପାଇଁ ।

ଆଜି ମଧ୍ୟ ଏବେ ସେହି ଭଳି ସିନା

ଶୁଣୁଛି, ଶୋଇ ମୁଁ ପ୍ରାନ୍ତର ଘାସେ;

ଶୁଣି ସେ ସୁଦୂର ଅତୀତ ସ୍ମୃତିଟି

ଲୋଡ଼ି ମୁଁ ନିମିଷେ ଆଣଇଁ ପାଶେ ।

କି ଆଉ କହିବି ତୋତେ, ପରଭୃତ ?

କହୁଛି ଏତିକି, ଶୁଣିବୁ ଆସ,

ଏ ଯେଉଁ ମହୀରେ ରହିଛି ଜୀବେ ମୁଁ,

ଏ ତ ଇନ୍ଦ୍ରପୁରୀ ତା ଯୋଗ୍ୟ ବାସ ।

☆☆☆

 

ମାୟାମୃଗ

 

ପର୍ଣ୍ଣକୁଟୀ ମଧ୍ୟେ ଅଯୋଧ୍ୟା ନରେଶ

ଦୂର ପଞ୍ଚବଟୀ ବନେ,

ବସି, ହର୍ଷେ ସୀତା ଲକ୍ଷ୍ମଣ ସଙ୍ଗତେ

ରତ ପ୍ରାତ ଆଳପନେ ।

ଆସି ତ୍ୱରା କାହୁଁ ଧାଇଁ ସ୍ୱର୍ଣ୍ଣ-ମୃଗ

କୁଟୀର ଦୁଆର ପାଶେ,

ବିଜୁଳି ଝଟକ ପ୍ରାୟେ ନିମିଷକେ

ଲୁଚିଗଲା ବନବାସେ ।

ନେତ୍ରୁ ତା ମୂରତି ନ ପାରିଲେ ପୋଛି

ଜନକ-ରାଜ୍ୟ-ଦୁହିତା,

କହିଲେ,‘‘ସେ ନିଧି ନ ଆଣିଲେ ଧରି

ଅନ୍ନ ମୋତେ ହେବ ପିତା ।’’

ଶୁଣି ରାମ ବେଗେ ଧନୁଶର ହାତେ

କୁଟୀରୁ ହେଲେ ବାହାର,

ବୁଲି ବନେ ମୃଗେ କେତେ ତ ଖୋଜିଲେ

ଛାଇ ନ ଦେଖିଲେ ତାର ।

ବନୁ ବନେ, ଗିରି— ସଙ୍କଟୁ ଗିରିକି

ଚାଲନ୍ତି ଅଯୋଧ୍ୟାସାଇଁ,

ତେଣେ, ସୀତା ସହ ଉଦ୍‌ବିଗ୍ନ ଲକ୍ଷ୍ମଣ

ବାଟ ରହିଛନ୍ତି ଚାହିଁ ।

କେତେବେଳେ ବନୁଁ ଆସିଲା ଶବଦ

‘‘ଲକ୍ଷ୍ମଣ, ରଖ ଜୀବନ,’’

ଶୁଣି କାନେ ସୀତା ପଡ଼ିଲେ ଚମକି

ଅଧୀର ହେଲେ ଲକ୍ଷ୍ମଣ ।

କହିଲେ ସୀତା,‘‘ଏ ଭାଇ କଣ୍ଠ ସ୍ୱର

ଆପଦେ ପଡ଼ିଲେ କାହିଁ,

ଯାଅ ଏ ମୁହୂର୍ତ୍ତେ, ହେ ଲକ୍ଷ୍ମଣ ତହୁଁ

ଭାଇଙ୍କି ତାରିବା ପାଇଁ ।’’

ମନ ନ ମାନିଲା, ତଥାପି ସୌମିତ୍ରି

ଚାଲିଲେ କୁଟୀର ତେଜି,

ଘୋର ବନେ ସୀତା ରହିଲେ ଏକାଟି

ଚିତ୍ତେ ରାମ ନାମ ହେଜି ।

ଚାହୁଁ ଚାହୁଁ ଦ୍ୱାରେ ଆଗତ ଭିକ୍ଷାର୍ଥୀ

ମାଗଇ ଭିକ ଆତୁରେ,

ପତିବ୍ରତା ପତି- କଲ୍ୟାଣ ମନାସି

ଭିକ୍ଷାନ୍ନ ବାଢ଼ିଲେ ଦୂରେ ।

କହିଲା ଭିକ୍ଷାଶୀ, ‘‘କରେ ଆଣିଦେଲେ,

ଘେନିବି ସିନା ମୁଁ ଭିକ,

ପରବାସେ ପାଦ ପକାଇବି, ମୋତେ

ମଣ କି ଏଡ଼େ ନାସ୍ତିକ ?’’

ଶଙ୍କିତେ ଭିକ୍ଷାନ୍ନ ଆଣି, ଦ୍ୱାରଦେଶୁଁ

ବଢ଼ାଇ ଦେଲେ ମୈଥିଳୀ,

କି ହେଲା ! ଭିକ୍ଷାର୍ଥୀ ପ୍ରକାଶି ସ୍ୱରୂପ

ଧଇଲା ଶ୍ରୀକର ଭିଡ଼ି ।

ଦଶମୁଣ୍ଡ ତାର ବେକ ଉପରକୁ

ବିକଟ ଦିଶଇ ଅତି,

ଝୁଲଇ କୋଡ଼ିଏ ହାତ ବେନି ପାଶେ,

ଦେଖି ମୂର୍ଚ୍ଛା ଗଲେ ସତୀ ।

ପୁଷ୍ପକ ରଥ ତା ଥିଲା ପାଶେ, ତାଙ୍କୁ

ବଳେ ସେ ଥାପିଲା ତହିଁ,

ଭୟଭୀତା ତ୍ରସ୍ତା ଜାନକୀ ବିକଳେ

କାନ୍ଦୁଛନ୍ତି କଇଁ କଇଁ ।

ବାହୁଡ଼ି ଶ୍ରୀରାମ— ସୌମିତ୍ରି କୁଟୀରେ

ହୋଇଲେ ଚକିତ ଅତି,

ତେଣେ, ଉଡ଼େ ରଥେ ସୀତାଙ୍କୁ ବସାଇ

ସେ ଦୈତ୍ୟ ଲଙ୍କା ନୃପତି ।

ସ୍ୱର୍ଣ୍ଣମୃଗ ରୂପେ ମାୟାମୃଗ ଗୋଟି

ପେଷି ଯେ ଥିଲା ରାବଣ,

ସେହି ମାୟା ବଳେ ହରିଲା ସୀତାଙ୍କୁ,

ବୁଝିଲେ ରାମଲକ୍ଷ୍ମଣ ।

☆☆☆

 

ଭାଇ

 

‘‘ମୋ ଭାଇକି ଡାକି ଆଣ ଏଥି, ଏକା

ଖେଳି ମୁଁ ପାରୁ ତ ନାହିଁ,

ଫୁଲ ଅଳି ଘେନି ଆସଇ ବସନ୍ତ,

କାହିଁ’ଛି ଆଜି ମୋ ଭାଇ ?

ରବି ହେମ କରେ ଉଜଳି ତା ଶିରୀ,

ଉଡ଼ି ବୁଲେ ପ୍ରଜାପତି;

ତା ପଛେ ମୁଁ ଆଉ ନ ପାରେ ଗୋଡ଼ାଇ

ଡାକ ମୋ ଭାଇକି ଏଥି ।

ପୋତିଥିଲୁଁ ଯେତେ ଫୁଲ ଲତା ବନେ,

ଅଯତ୍ନେ ବଢ଼ନ୍ତି ତହିଁ;

ଫଳଭାରେ ଦ୍ରାକ୍ଷା ଭାଜିପଡ଼େ ପରା

ଆଣ ମୋ ଭାଇରେ ରାଇ ।’’

‘‘ଶୁଣିବ ନାହିଁ ସେ ତୋ ଡାକ, ରେ ବାୟା,

ଆସିବ ନାହିଁ ତ ବାରେ;

ବସନ୍ତ ସୁମନ ସରି ସେ ବଦନ

ନ ଦେଖିବୁ ମହୀତଳେ ।

ଫୁଲ ଯେହ୍ନେ କ୍ଷଣେ ଶୋହେ, ସେ ଶିରୀ ତା

ଭାଲେ ଲେଖିଥିଲା ବିହି,

ତୁ ଏବେ ଏକାଟି ଖେଳିବୁ, ରେ ଧନ,

ସରଗେ ଅଛି ତୋ ଭାଇ ।’’

‘‘ଛାଡ଼ି କି ଗଲା ସେ ତା ଫୁଲ, ଚଢ଼େଇ ?

ମିଛେ କି ଡାକିବି ମୁହିଁ ?

ଏ ଦୀର୍ଘ ବସନ୍ତେ ଦିନେ କି ମୋ ପାଶେ

ଫେରି ସେ ଆସିବ ନାହିଁ ?

ନିର୍ଝର ପୁଲିନେ ବନପଥେ ସୁଖେ

ସେ ବୁଲା ଗଲା କି ସରି ?

ଖେଳିବାର ବେଳେ ତାରେ, ଆହା, ଆଉ

ସ୍ନେହ ମୁଁ ଥାଆନ୍ତି କରି ।’’

☆☆☆

 

*ଅନାଥ ଶିଶୁ

 

ଆଉ କିପାଁ ରଡ଼ୁ ଶିଶୁ, ବିକଳେ ଏଭଳି ?

ବୃଥା ତୋର ଏତେ ଡାକ, ,ତେ ତୋର ଅଳି !

ପାଷାଣ, ପାଦପଗଣ କି କରିବେ ଶୁଣି ?

ବୃଥା ଏତେ ଆକୁଳତା, ନହୁଅ ବାହୁନି ।

ଏହି ଯେ ଆସିଲି ମୁହିଁ ନଉ-ପୃଷ୍ଠେ ବସି,

ବନ୍ଧୁଗଣ ମେଳେ ଯିବି ନାଚି ଖେଳି ହସି;

ଶୁଣୁ ଶୁଣୁ ତୋ ବିକଳ ନ ଶୁଭିବ ଆଉ,

ଏ ରୂପଟି ଲୁଚି ପୁଣି ଯିବ ଚାହୁଁ ଚାହୁଁ ।

କିପାଇଁ ରାବୁ ରେ ଶିଶୁ, କାହାକୁ ଅନାଇଁ ?

କେହି କି ଭାଳଇ ତିଳେ ତୋ ବଦନା ପାଇଁ ?

ଏହିକ୍ଷଣି ଘୋଟିଯିବ ନିବିଡ଼ ଅନ୍ଧାର,

ନ ଦିଶିବ କୂଳ, ପନ୍ତା, ପାଣି କି ପାହାଡ଼ ।

ସେତେବେଳେ କି କରିବୁ ଅଭାଗା-ପରାଣି,

କେଉଁଠାରେ ଆଶ୍ରା ନେବୁ ନିଜ ଲୋଡ଼ା ଜାଣି ?

କୁଆ ଶୁଆ ବସା ଖୋଜି ଯିବେ ତହିଁ ଉଡ଼ି,

ମାଛ ବେଙ୍ଗ ଯିବେ ସୁଖେ ପାଣି ତଳେ ବୁଡ଼ି;

ଚିଲିକା ମଜ୍ଜିବ ନିଜ ନିଶୀଥ ଶୟନେ,

ପାଷାଣ ପାଦପେ ନିଦ୍ରା ଭଜିବେ କାନନେ ।

ତୁହି ଏକା କି କରିବୁ ଅନାଥ ଶିଶୁଟି,

ରାତି ସାରା ରଡ଼ି ରଡ଼ି ଯିବ କି ତୋ ବିତି ?

ସେନେହେ ଯେ ପାଳିଥିଲା ଦୁଃଖିନୀ ଜନନୀ,

କେତେପରି ଝୁରୁଥିବ ବିକଳେ ବାହୁନି;

ଜାଣୁଥିବ ହରାଇଛି ପରାଣର ଧନ,

କାହୁଁ ସେ ବୁଝିବ ତୋର ଏ ଦୁଃଖ କଷଣ ?

ପଶୁକୂଳେ ଜନମିଛି ସରଳ ସେନେହେ,

କି ଜାଣିବ କି ବିଚାର ମାନବ ହୃଦୟେ ?

ନିଷ୍ଠୁର ହାତେ ତା ଭିଡ଼ି ଯେୁଉଁ କ୍ରୂର ପ୍ରାଣୀ

ଛାଡ଼ିଲା ଏ ଅପନ୍ତରା ଦ୍ୱୀପେ ତୋତେ ଆଣି,

ତା ମରୁ-କୋଡ଼ରେ ଶିଶୁ ଜନମି କି ନାହିଁ ?

ସ୍ନେହ-ପ୍ରୀତି-ବିନ୍ଦୁ ହୃଦେ ନାହିଁ କି ସେ ପାଇ ?

ଜଳଧି-ଦେବତା ମା ଗୋ ଜଗତ-ତାରିଣି,

ଏ ଜଳ-କଲ୍ଲୋଳେ କେଳି କରୁଛ ଜନନୀ,

କୋଳେ ତୋଳି ରଖ ଲହି ଅନାଥ ଶିଶୁଟି;

ଜଳ-ବେଣୁ-ତାନେ ଦିନ ଯାଉ ତାର ବିତି ।

 

* ଚିଲିକା ଭିତରେ ପାହାଡ଼ରେ ଥିବା କାଳିଜାଇ ଦେବୀଙ୍କଠାରେ ବଳି ଦେବାକୁ ଲୋକେ ଯେଉଁ ସବୁ ବୋଦା ନିଅନ୍ତି, ତାଙ୍କୁ ନ ହାଣି ଉହାଡ଼ରେ ଛାଡ଼ିଦେଇ ଆସନ୍ତି । କବି ଥରେ ସାଙ୍ଗ ସାଥୀଙ୍କ ସହିତ ସେଠାକୁ ଯାଇଥିଲେ । ଲେଉଟିଲାବେଳେ ନାଆ ଚଳିବାର ଦେଖି ଛେଳିଛୁଆଟିଏ ବହୁତ ରଡ଼ିଲା । ମାତ୍ର ନାଉରୀ ତାକୁ ନାଆରେ ଆଣିବାକୁ ନାସ୍ତି କଲା । ନାଉରୀଙ୍କର ବିଶ୍ୱାସ ଯେ କାଳିଜାଇ ପାହାଡ଼ର ଜନ୍ତୁ ଆଣିଲେ ନାଆ ବୁଡ଼ିଯିବ ।

☆☆☆

 

ଋଷିକୁଲ୍ୟାର ମିନତି

 

ଭୂଧର କନ୍ଦରେ ଗହନ କାନ୍ତାରେ

ଜନମି ସୁଦୂରେ କାହିଁ,

ବିଲ ଗ୍ରାମ ପଦା ତେଜି, ଋଷିକୂଲ୍ୟା

ସରାଗେ ଆସିଛି ଧାଇଁ ।

ବାଟେ ରୋଧୁଥିଲେ କେତେ ଗିରି ଶିଖ,

କହିଲେ, ‘ନ ଯାଅ ଦୂରେ,’

କେତେ କ୍ଷୁଦ୍ର ହ୍ରଦ ଲୋଡ଼ୁଥିଲେ ତାକୁ

ବହି ଧରିବାକୁ ଉରେ ।

ନ ଶୁଣି ସେ କିଛି ଆସିଛି, ଜୀବନ

ସାଗରେ ଦେବାକୁ ନିହି,

ସିନ୍ଧୁ ଅଙ୍ଗେ ସିନା ତା ଅଙ୍ଗ ମିଶିଲେ

ଧନ୍ୟ ସେ ପାରିବ ହୋଇ ।

ସିନ୍ଧୁ ସିନା ତାକୁ ତୁହାଇ ତୁହାଇ

ପଛେ ଫେରାଉଛି ପେଲି,

ଗୋଟି ଗୋଟି ଢେଉ ପେଷି, କହୁଅଛି

‘‘କଥା ମାନି ଯାଅ ଫେରି ।

ମୁଁ ଛାର ସମୁଦ୍ର କ୍ଷାରେ ପରା ଗଢା

ମୋ ପୋଡ଼ା ପରାଣ ଗୋଟି,

ତୋ ମଧୁର ଶରୀର ଆଣି କିପାଁ, ନଦି

କୋଳେ ମୋ ଯିବୁ ଲୋ ଲୋଟି ?’’

ଶୁଣି ଋଷିକୁଲ୍ୟା କାନ୍ଦି କହେ ଧୀରେ

‘‘ନ ଭାଷ ନିଠୁର ବାଣୀ,

ତୁମ ପ୍ରତି ପ୍ରୀତି ବହି ମୁଁ ଆସିଛି,

କ୍ଷୀର କ୍ଷାର ନାହିଁ ଜାଣି ।

‘‘ଏ କ୍ଷାରେ ଢାଳିବି ମୋ କ୍ଷୀଣ ଜୀବନ,

ଅନ୍ତର କାମନା ମୋର;

ସେ ପାଇଁ ବହିଛି ଏ ପ୍ରାଣ ଭାରା ମୁଁ,

ପତାଇ ଦିଅ ହେ କୋଳ ।

‘‘ନୋହିଲେ ଲୋଟିବ ସଇକତ ଶେଯେ,

ପଶିବି ଭୂଗର୍ଭେ ଧୀରେ,

ପଶିଥିଲେ ଯେହ୍ନେ ବିଷାଦ ଜାନକୀ

ଶ୍ରୀରାମ ନିଠୁର ଗୀରେ ।

‘‘ସ୍ନେହେ କି ସିନ୍ଧୁ ହେ, ନ ବୁଝ ହୃଦୟେ,

ବହି ଏ ତରଳ ପ୍ରାଣ ?

ତୁମ ବିନା ମୋର ଅଛି କାହିଁ ଗତି

ଦିଅ ମୋତେ ବକ୍ଷେ ସ୍ଥାନ ।’’

☆☆☆

 

ଗଣ୍ଠିଧନ-ସାଥୀ

 

ମାଟି ଘାସେ ବସି ଚଣ୍ଡାଳ ପିଲାଟି

ଅଳ୍ପ ଫଳ ହାର ତା’ର ଖାଉଛି ସାଉଁଟି ।

ବାଲି ଧୂଳି ମାଟି ସଙ୍ଗେ ମିଶିଯିବି ବୋଲି,

ରଖିଛି ଖପରାଟିରେ କି ଯତନେ ଭରି ।

‘‘କାହା ପ୍ରାଣଧନ ଆରେ ହୃଦୟର ମଣି,

କେଡ଼େ ହୀନିମାନ ଏଥି ନୋହୁଛୁ ତୁ ପୁଣି !

ଘରେ ବୋଉ କୋଳେ ନେଇ ବସାଇ ଆଦରେ,

ଭୁଞ୍ଜାଉ ଥାଆନ୍ତା ଭାତ କି ସେନେହଭରେ !

‘‘ତୁ ଯେ ମାଟିତଳେ ଏଥି ହେଉ ନିରିମାଖି,

ଲବେ ହେଲେ ଆଜି ସେହୁ ଜାଣିପାରୁଛି କି ?

ଦଇବ ଜନମ ଦେଲା ଚଣ୍ଡାଳର କୁଳେ,

ଏଭଳି କି ଲୋଟିବାକୁ ଧୂଳି ମାଟିତଳେ ?

‘‘କି ସୁଖେ ମୁଁ ଅଧହର୍ମ୍ୟେ ବସି ନିଶିଦିନ,

ବିଶ୍ୱ-ଶିରୀ ଭୁଞ୍ଜି ମୋର ଯାପୁଛି ଜୀବନ ।

ଏତିକି ଅନ୍ତର ବିହି ଏକୁ ଆନ କରି,

ଏ ସାରା ସଂସାର ପୁଣି ସୃଜିଛି କିପରି ?

ଯାଆ ବାବୁ, ଫେରି ଯାଆ ଘରେ ତୁ ତୁରିତେ,

ବୋଉ-କୋଳେ ବସି ଭାତ ଭୁଞ୍ଜିବୁ ଉସତେ ।’’

ଏତେ ଭାଳି ଦୀର୍ଘଶ୍ୱାସ ତେଜିଲି ମୁଁ, ଦେଖି,

ଫଳାହାରୁ ମୁଠେ ମୋର ବଢ଼ାଇଲା ଡାକି ।

କି ବିଚାର କଲା ମନେ, ତାକୁ ସିନା ଜଣା,

ମୁଁ ଯେ ନେବି କିନା, ହୃଦେ ଅତି କଳପଣା ।

ନିମିଷେ ରହିଲେ ଥରେ, ଦୋଦୋପାଞ୍ଚ ହୋଇ

ମଉନେ ଘେନିଲେ ତହୁଁ ପାଶେ ତାର ଯାଇ ।

ନାରାଜ ହେବାରେ ମୋର ନ ବଳିଲା ଚିତ୍ତ,

ପକାଇଲି ମୁଖେ ମୁଁ ସେ ମୁଠିଟି ତୁରିତେ ।

ମାଟି ଘାସେ ବସିଲି ସେ ପିଲାଟିର ତୁଲେ,

ମୁଠେ ସେହୁ ଖାଏ ନିଜେ ମୁଠେ ଦେଇ ମୋରେ ।

ଏ ମରତେ ବଞ୍ଚି ବୋଉ, ଥିଲେ ଆଜି ରହି,

ଏତେ ହୀନିମାନ ହୃଦେ ପାରନ୍ତୁ କି ସହି ?

ବେନିକି ନିଅନ୍ତୁ ପରା ବେନି କର ପାତି,

ମୁଁ ତୋ ଗଣ୍ଠିଧନ, ଏ ତୋ ଗଣ୍ଠିଧନ-ସାଥୀ ।

☆☆☆

 

*କନିକା ନୃପ କୁମାରୀ

 

ଖଲିକୋଟେ ତ୍ୱରା ଯିବେ ନୃପବର,

କହନ୍ତି, ‘‘ନାଁଉରି, ଚାଲ ବହନ;

ଆର କୂଳେ ବେଗେ ପାରି କରିଦେଲେ,

ଏ ମୋହର ଗୋଟି ପାଇବୁ ଜାଣ ।’’

‘‘କିଏ ତୁମେ ଆଜି ଏ ପାଣି ପବନେ

କାଳିଜାଇଗଣ୍ଡ ହେବ ହେ ପାରି ?

‘‘ଖଲିକୋଟ ରାଜ-ନନ୍ଦନ ମୁଁ ପରା,

ଏ ବାଳା କନିକା ନୃପ କୁମାରୀ ।

ତିନି ଦିନ ଧାଇଁ ଆସିଅଛୁ ବେନି,

କନିକା ସଇନେ ଛନ୍ତି ଗୋଡ଼ାଇ;

ବାଟେ ପଡ଼ିଗଲେ ଧରା ତାଙ୍କ ହାତେ,

ମୋ ରକ୍ତେ ନିଜର ତିନ୍ତିବ ଭୂଇଁ ।

ଚଢ଼ି ଘୋଡ଼ା ଖରେ ଆସନ୍ତି ମାଡ଼ି ସେ;

ଆମ ପତା ଯେବେ ପାଇବେ ତିଳେ,

ମୋତେ ତ କରିବେ କାଟି ବେନି ଖଣ୍ଡ,

କେ ରହିବ ବାଳା ସାହା ମହୀରେ ?’’

ଫେଇ ମନ କଥା କହିଲା ନାଉରି,

‘‘ଯିବି ମୁଁ, ମଣିମା, ଅଛି ତିଆର;

ଦେଲେ ଦିଅ ମୂଲ, ନ ଦେଲେ ନ ଦେବ;

ଏ ବାଳାଙ୍କ ଲାଗି ଯିବାର ମୋର ।

ମୋ ରାଣ ପକାଇ କହୁଛି, ଆପଦେ

କ୍ଷଣେ ଏଥି ନାହିଁ ରହିବେ ବାଳୀ;

ମେଘ ବରଷୁଛି, ବତାସି ପିଟୁଛି;

ହେଲେ, ମୁଁ ତୁରିତେ କରିବି ପାରି ।’’

ଘନୁ ଘନ ବଢ଼ିଆସେ ବାଆ ପାଣି,

ଡାକିନୀ ଡାକର ବିକଟ ଭାଷେ;

ବିଧି ଦୁର୍ଘଟଣା ଦେଖି ବେନି ଜନ

ପ୍ରେମିକ ହୃଦୟ କମ୍ପଇ ତ୍ରାସେ ।

ପବନ ବୋହିଲା ଘୋର ଅଣଞ୍ଚାଶ,

ବିଜନ କାଳିମା ଆସିଲା ଘୋଟି,

ପାରିକୁଦ ଦହେ ଘୋଡ଼ା ଟାପୁ ନାଦ

ନିକଟୁ ନିକଟ ଶୁଭିଲା ଅତି ।

‘‘ଚାଲ, ବେଗେ ଚାଲ’’, ଭାଷନ୍ତି କୁମାରୀ,

‘‘ବାଆ ପାଣି ଭିଡ଼େ ହେଉଛି ସତ;

ଏ ବିହି କୋପ ମୁଁ ଭେଟିବି ହରଷେ,

ନ ଭେଟିବି ପିତା କୁପିତ ହାତ ।’’

ଭୀମ ଭୂଇଁ ପୃଷ୍ଠ ଛାଡ଼ିଲା ନାଉରି,

ଦୁଷ୍ଟ ସିନ୍ଧୁ କକ୍ଷ କରିବି ପାରି;

ବାଆ ପାଣି ତ୍ୱରା ହେଲା ଏଡ଼େ ଟାଣ;

ଛାର ନର ହାତ କି ପାରେ କରି !

ତେବେ ହେଲେ କାତ ମାରି ସେ ଚାଲିଛି,

ନ ମାନେ ବତାସି ନାଉରି ତିଳେ;

କନିକା ନୃମଣି କୂଳେ ହୋଇ ଉଭା,

ଦେଖନ୍ତି ବିଷମ ତାଣ୍ଡବ ନୀରେ ।

ବାପ ହୋଇ ନିଜେ ଜନ୍ମ ଦେଇଛନ୍ତି,

ପାଳିଛନ୍ତି ପ୍ରାଣୁଁ ଅଧିକ କରି;

ବାଲ୍ୟ ଅପରାଧେ ନିମିଷ ବିରାଗେ

ଫିଙ୍ଗିହୃଦ ପୀଠୁ ଦେବେ କିପରି ?

ଅନାଇ ଦେଖନ୍ତି, ବତାସି ଅନ୍ଧାରେ

ବୁଡ଼ୁଛି ଦୁହିତା ଅତଳ ତଳେ;

ତରିବା ପାଇଁରେ ଟେକି ଏକ ହାତ,

ବେଢ଼ାଇଛି ଆନ ପତିଙ୍କ ଗଳେ ।

‘‘ଫେରିଆ, ଫେରିଆ’’ କହିଲେ ବିଷାଦେ,

‘‘ଫେରିଆ, ଗୋ ମାଆ, ନ ଯାଉ ଆଉ,

ହେଲା ଯା ହେବାର, ଫେରି ତୁ ଅଇଲେ,

ତୋ ପତିରେ ନାହିଁ ଛୁଇଁବ କେହୁଁ ।’’

କି ହେବ, ଏଡ଼ିକି ବିଧି ଘଟଣ କେ ?

ଏକା ପବନକେ ବୁଡ଼ିଲା ନାଆ;

ଝିଅ ମିଶିଗଲା ଚିଲିକା ତରଙ୍ଗେ,

ନୃମଣି ବାହୁନି କାନ୍ଦନ୍ତି ଆହା !

 

* ଘଟନାଟି ବିଲାତର । କିନ୍ତୁ ବିଷୟ ସହଜବୋଧ୍ୟ କରିବା ନିମନ୍ତେ ସ୍ଥାନମାନଙ୍କର ନାମ ଓଡ଼ିଶାର ସ୍ଥାନମାନଙ୍କର ନାମ ଅନୁସାରେ ଦିଆଯାଇଅଛି ।

☆☆☆

 

*ଆରାଧ୍ୟ

 

ପରାଣ-ଦେବତା କରି ପୂଜନ୍ତି ଯତନେ

ଦିବା ନିଶ ହୃଦ-ପୀଠ ସ୍ନେହ ସିଂହାସନେ,

ନଇବେଦ୍ୟ ରୂପେ ଯାହା ଧରିଛି ମୁଁ ଚିତ୍ତେ

ତୁମ ଯୋଗ୍ୟ କରି ଯେବେ ପାରନ୍ତି କିଞ୍ଚିତେ ।

ନିତି ଦିନ ଅବହେଳେ ବସି ଶ୍ରୀଚରଣେ;

କି ଯେ ତୁମେ, ଦେବ, ଚିହ୍ନି ନ ପାରିଲି କ୍ଷଣେ ।

ନିମିଷେ ପରାଣେ ଯେବେ ଉପୁଜେ ମୋ ଭୀତି,

ଅପର ନିମିଷେ ହୁଅ ଦୋସର ପ୍ରତୀତି ।

ଉଦାସ ଅନ୍ତରେ ତେଜି ଆସିଲା ବେଳକୁ,

ହସହସେ ସ୍ନେହେ ଭାଷ ବଚନ ଶ୍ରୀମୁଖୁ ।

ସରଗ ସଂପଦେ ତହୁଁ ଖେଳଇ ଅନ୍ତର,

ଯେତେ ଯା ବୈରାଗ୍ୟ ମନୁ ବିସୋରି ସକଳ ।

କି ଦୁର୍ଲ୍ଲଭ ଉପାୟନ ସୁଧାଧାରେ, ନିହି,

ଏ ମଧୁ ମୂରତି, ଦେବ, ଗଢ଼ିଅଛି ବିହି !

ହାସ୍ୟେ ମିଶାଇଛି ଲୋଡ଼ି ଶୀତ ନେତ୍ର ବାରି,

ପାଷାଣେ ଦେଇଛି ସ୍ନିଗ୍‌ଧ ଶୈବଳିନୀ ଢାଳି,

ଅମା ନିଶି ଅନ୍ଧକାରେ ଫୁଟାଇଛି ବିଧୁ,

ମରୁଦେଶେ ଫେଡ଼ିଅଛି ପିକକଣ୍ଠ ମଧୁ;

ସପନ ସଂପଦ ଲୋଡ଼ି ସରଗ ସମ୍ଭାରେ

ନିହିଛି ସେ ଜନହିତେ ଏ ମର୍ତ୍ତ୍ୟ ଶରୀରେ ।

ବାଳୁତ ବୟସୁଁ ସାଧି କି ସୁଖ ତିଆଗ,

ଦେଇଛ ଯାବତ ତେଜି ଜୀବନ ସୋହାଗ ।

ଆପଣା ସୌଭାଗ୍ୟ ଶିରୀ ବରଜି ଉସତେ

ପରହିତେ ପରାଣଟି ଢାଳୁଛ ନିରତେ ।

କି ପୁଣ୍ୟ-ପ୍ରଦୀପ ଜାଳି ହୃଦ ନିକେତନେ,

ଚଉଦିଗ ପରଶୁଛ ମଧୁ ଆଲୋକିନେ ।

ଜ୍ଞାନ ଗୌରବର କିବା ଗଭୀର ବାରିଧି,

ରଖିଛ ହୃଦୟେ, ଦେବ, ନିହି କୋଟି ନିଧି ।

ଗୋଟି ଗୋଟି ଯେବେ ମୁହିଁ ନିରେଖେ ନୟନେ,

ପରାଣ ପ୍ଲାବନେ ପୂଜେ ଆତ୍ମବିସ୍ମରଣେ ।

ତୁମରି ନିଦେଶ ଆଜି ହୃଦେ-ପୀଠ ଧରି,

କରମ ସାଧନା ଭୂମେ ଅଛି ଅବତରି ।

ଏ ସୁଖ ବିଷମ ପଥେ ବିହରି ହରଷେ,

ମିଳିବି ଯାବତ ଯାଇ ଦୂର ଧ୍ରୁବ ପାଶେ,

ସେତେବେଳ ସନମାନେ ନଇବେଦ୍ୟ ଧରି,

ପୂଜା ତବ, ଆରାଧ୍ୟ ହେ,ପାରିବି ଆଚରି ।

ହୃଦୟ ବିସାରେ ମୋରେ ବିଶ୍ୱ ପରିସରେ

ରଖିଥାଅ ଅନୁଦିନ ଶ୍ରୀଚରଣ ତଳେ ।

 

* ଏ ପଦ୍ୟର ବିଷୟାବଳୀ ସ୍ୱର୍ଗତ ପଣ୍ଡିତ ଗୋପବନ୍ଧୁଙ୍କୁ ଲକ୍ଷିତ କବି ତାଙ୍କର ନିତାନ୍ତ ଅନୁରକ୍ତ ସହକର୍ମୀ ଥିଲେ । ପଣ୍ଡିତ ଗୋପବନ୍ଧୁ କବି ଓ ସତ୍ୟବାଦୀ ବିଦ୍ୟାମନ୍ଦିରର ଅନ୍ୟାନ୍ୟ କର୍ମୀଙ୍କୁ ବିଶେଷଭାବରେ ସେବା ଓ ତ୍ୟାଗମନ୍ତ୍ରରେ ଦୀକ୍ଷିତ କରି ପାରିଥିଲେ ।

☆☆☆

 

ମୁଣ୍ଡବଳି

 

ଭୋଇ ବଂଶ ନୃପେ ହରାଇ, ଫିରିଙ୍ଗି

ଜିଣିଲେ ଖୋରଧା ରାଜ୍ୟ,

ଗୋରା କର୍ମଚାରୀ ସ୍ତାପି, ନିରାପଦେ

ନିର୍ବାହିଲେ ରାଜକାର୍ଯ୍ୟ ।

କେ ଶିର ନୁଆଇଁ ମାନିଲା ଶାସନ,

କର ଗଣିଦେଲା କେହୁ,

କେବଳ ପାଇକେ କହିଲେ ‘‘ଲଢ଼ିବୁ

ମୁଣ୍ଡ ଗଲାଯାଏ ଦେହୁ ।’’

ଖୋରଧା ବକସି ବୀର ଜଗବନ୍ଧୁ

ହାରି ଯାଇଛନ୍ତି ରଣେ,

ନିଶଙ୍କେ ଫିରିଙ୍ଗି ସୃଜି ଲୀଳାଭୂମି,

ରହନ୍ତି ଉସତ ମନେ ।

ତଥାପି ତାପଙ୍ଗ ଗଡ଼େ ନ ପାରନ୍ତି

ସହଜେ ପକାଇ ପାଦ,

ତା ଦଳବେହେରା ପ୍ରଜାପୁଞ୍ଜ ବଳେ

ରଚନ୍ତି ଘୋର ପ୍ରମାଦ ।

ବାହୁ ଯୁଗେ ଯେତେ ବୀରତ୍ୱ ତାଙ୍କର

ତେଜିକି ଦୟା ହୃଦୟେ;

ନିଜ ମୁଣ୍ଡ ପଛେ ହରାଇବେ, ପ୍ରଜା

ତାଙ୍କୁ ନ ତେଜିବେ ଭୟେ ।

ଅସହ୍ୟ ମଣିଲେ ଫିରିଙ୍ଗି ଶାସକ,

କହିଲେ, ‘‘ଲାଗିଛି ନାଟ,

ତାପଙ୍ଗୁ ତାକୁ ମୋ ତଡ଼ିବା ନିଶ୍ଚିତ’’,

ପେଷିଲେ ବିପୁଳ ଥାଟ ।

ଦୁଇ ଥାଟେ ଯୁଦ୍ଧ ଲାଗିଲା ବିଷମ,

ତିଳେ କାର ନାହିଁ ହେଳା;

ଦୀର୍ଘ ସାତ ଦିନେ ସରିଲା ସମର

ହାରିଲେ ଦଳ ବେହେରା ।

ତା ପଙ୍ଗୁ ମେଲାଣି ମାଗି ସେ ପଶିଲେ

ଗିରି ବନେ ଯାଇ ଆହା !

କି ଖାଆନ୍ତି, କାହିଁ ଯାପନ୍ତି ଯାମିନୀ,

କେ ଜାଣେ, ପାଇକନାହା ।

ତଥାପି ତାପଙ୍ଗ ଗଡ଼େ ବାଳ ବୃଦ୍ଧ

ନିତି ସୁମରନ୍ତି ନାମ,

ଶୁଣି ଶୁଣି ଦୂରେ ବଧିର ହୁଅଇ

ଫିରିଙ୍ଗି ଶାସନ କାନ ।

କହିଲେ ତହୁଁ ସେ, ‘‘ସତ୍ତା ଯେବେ ତାର

ମର୍ତ୍ତ୍ୟୁ ମୁଁ ନ କରେ ଲୋପ,

ଶାସନ ତ ରାଜ୍ୟେ ହୋଇବ ଅଚଳ,

ଦହିବ ମୋତେ ମୋ କୋପ ।’’

ସମଗ୍ର ଖୋରଧା ରାଜ୍ୟେ ପ୍ରଚାରିଲା,

‘‘ଦୁଷ୍ଟ ଦଳବେହେରାର

ମସ୍ତକ ଯେ ଛେଦି ଆଣିବ, ପାଇବ

ସୁନାଥଳି ପୁରସ୍କାର ।’’

ରୋଷେ ବିକମ୍ପିଲେ ଖଣ୍ଡାୟତ ବୀରେ

ଗଡ଼ୁ ଗଡ଼େ, ଗ୍ରାମୁ ଗ୍ରାମେ;

ଖଣ୍ଡାୟତ-ମାନ ଯେ ରଖିଛି, ତାଙ୍କୁ

ମରାଇ ନଦବେ ପ୍ରାଣେ ।

ବୁଲନ୍ତି ବଧକ ଗୋଇନ୍ଦା ଘାତକ

ଧନର କେଡ଼େ ମହିମା !

ମୁଣ୍ଡ ଯେବେ କାଟି ଆଣିବେ, ରହିବ

ନାହିଁ ସୌଭାଗ୍ୟର ସୀମା ।

ଲାଗେ ଖଣ୍ଡଯୁଦ୍ଧ କେତେ ପଦା ବିଲେ,

କେତେ କେ ହୁଅନ୍ତି ଖୁଣ,

ପାଇକ ଗୋଇନ୍ଦା ଲଢ଼ି ହୋଇଯାନ୍ତି

ଶୁଝାଶୁଝି ପୂର୍ବ ଋଣ ।

ଦଳବେହରାଙ୍କ ଛାଇ ସେ ଘାତକେ

ଖୋଜି ଯେ ପାଆନ୍ତି ନାହିଁ,

ସୁନାଥାଳି ବୃଥା ଯିବକି ରାଇଜେ

ତିନି ଲକ୍ଷ ପ୍ରଜା ଥାଇ ?

ଦିନେ ବନପ୍ରାନ୍ତେ ବିମର୍ଷ ପଥିକ

କହେ ବନବାସୀ ଭେଟି,

‘‘ତାପଙ୍ଗ ଯିବାର ପଥ କି ଜାଣିଛ ?

କହ ମୁଁ ଯିବଇଁ ସେଥି ।

କୈବର୍ତ୍ତ ଜାତି ମୋ, ବୁଡ଼ିଲା ନଉକା

ଅତଳ ଚିଲିକା-ଗଣ୍ଡେ,

ଗ୍ରାମେ ଘର ପୋଡ଼ି ଚାଲିଗଲା ବାସ;

ମରେ ମୁଁ ଦଇବଦଣ୍ଡେ ।

ତାପଙ୍ଗ ଗଡ଼ର ଦଳବେହେରାଙ୍କୁ

ମାଗି କେ ନୋହିଛି ବ୍ୟର୍ଥ;

ମୁଁ ଯିବି, କହିବି ମୋ ଦୁଃଖ ଗୁହାରି

ଲେଉଟିବି ଧରି ଅର୍ଥ ।’’

ଶୁଣି ବନବାସୀ ରୋଧି ଅଟ୍ଟହାସ

କହିଲେ, ଆସ ମୋ ସାଥି,

ଅର୍ଥ ଯହିଁ ନିଶ୍ଚେ ମିଳିବ, ନିଜେ ମୁଁ

ନେଇ ଯିବି ବାଟ କାଟି ।’’

ଆଗେ ବନବାସୀ ଚାଲନ୍ତି, କୈବର୍ତ୍ତ

ଅନୁସରେ ଭୁଲିକ୍ଳେଶ;

ସକାଳୁ ମଧ୍ୟାହ୍ନ ହୋଇଗଲା ଯହୁଁ,

ପଥଶ୍ରମ ହେଲା ଶେଷ ।

କାର୍ଯ୍ୟାଳୟେ ବସି ଫିରିଙ୍ଗି ଶାସକ

ବିବ୍ରତ ଖୋରଧା ଗଡ଼େ;

ପଳାୟିତ ଦଳ- ବେହେରା ନ ମିଳେ,

କପାଳ ଠୁକନ୍ତି କରେ ।

ଟେକି ମୁଣ୍ଡ, ଚାହିଁ ଦେଖିଲେ ଅଚିହ୍ନା

ଜନ କେ ହୋଇଛି ଠିଆ,

ଦାଢ଼ି ନଖ ବଢ଼ି ବନବାସୀ ଜଣେ;

ଛାତି ତଳେ ଥରେ ହିଆ ।

ପୁଚ୍ଛିଲେ ‘‘କି କାର୍ଯ୍ୟେ ଆସିଛ, ଜଙ୍ଗଲ?’’

ଉତ୍ତର ଶୁଣିଲେ ତ୍ୱରା-

‘‘ତାପଙ୍ଗର ଦଳ- ବେହେରା ମୁଣ୍ଡକୁ

ସୁନାଥଳି ଦେବ ପରା ?

ମୁହିଁ ସେହି ଦଳ— ବେହେରା, ମୋତେ ଏ

କୈବର୍ତ୍ତ ଆଣିଛି ଧରି;

ବଡ଼ ଦୁଃଖୀ ଜନ, ବଢ଼ାଅ ତା ଧନ,

ନିଅ ମୋର ମୁଣ୍ଡ ବଳି ।’’

ଶୁଣି କର୍ମଚାରୀ ପଡ଼ିଗଲେ ଶେତା

ପୋତିଲେ ଦୁର୍ଦ୍ଧର୍ଷ ମଥା;

କାର୍ଯ୍ୟାଳୟ ସାରା ନୀରବ ନିସ୍ତବ୍‌ଧ

ମୁଖୁକା ନ ସ୍ଫୁରେ କଥା ।

☆☆☆

 

ଭିକ୍ଷା ଦେବେ କାହୁଁ ?

 

ବହୁ ଶତ ବର୍ଷ ପୂର୍ବେ ପୂଣ୍ୟ ଦେବାର୍ଚ୍ଚନେ

ରତ ଦିନେ ଉତ୍କଳ-ନୃମଣି;

ଘଣ୍ଟା ବାଦ୍ୟ ସ୍ତୋତ୍ର ବନ୍ଦୀ ବନ୍ଦନା ଲହରେ

ଚତୁର୍ଦ୍ଦିଗୁ ମିଶେ ପ୍ରତିଧ୍ୱନି ।

ଦ୍ୱାରେ କରଯୋଡ଼ି ଉଭା ଶଙ୍କିତ ଭିକ୍ଷାଣୀ;

ଦେବାର୍ଚ୍ଚନେ ହୁଏ ସିନା ଭାଗୀ,

ଦେବତା ଦର୍ଶନ ନୁହେ କାମ୍ୟ ତାର ଲବେ,

ଆସିଛି ସେ ଭିକ୍ଷା ନେବ ମାଗି ।

ଯଥାକାଳେ ଦେବାଳୟେ ପ୍ରଶମିଲା ରୋଳ,

ନରମଣି କଲେ ପ୍ରଣିପାତ;

କହିଲେ, ‘‘ଭିକ୍ଷା ମୋ, ଭର ଏ ଦୀନ ଭଣ୍ଡାର

ଧନରତ୍ନେ, ହେ ଜଗତନାଥ ।’’

ସାରି ନମସ୍କାର ନୃପ ଉଠିଲେ ଭୂତଳୁ

ଫେରାଇଲେ ମୁଖ ଯିବାପାଇଁ;

ଦେଖନ୍ତି ଭିକାରି ଯାଏ ବାହୁଡ଼ି ମନ୍ଦିରୁ,

ନ ବୁଝିଲେ ହେତୁ ନରସାଇଁ ।

ବିଧାନ ଚିରନ୍ତ ତାଙ୍କ ଭିକ୍ଷା ଦେବା ଲାଗି

ମନ ତୋଷି ଦେବାର୍ଚ୍ଚନ ଅନ୍ତେ;

ଭିକ୍ଷୁକ ନ ଥିଲେ ଭିକ୍ଷା ଅର୍ପିବେ କା କରେ ?

ବିଧି ରକ୍ଷା ହୋଇବ କେମନ୍ତେ ?

ରାଇଲେ ଭିକ୍ଷୁକେ ତହୁଁ ପଛୁଁ ନରରାଣ,

ପଚାରିଲେ, ‘‘ଯାଅ କିପାଁ ଫେରି ?

ଯା ମାଗିବ ମାଗ, ଭିକ୍ଷା ଦେବି ମୁଁ ଆଗ୍ରହେ

ଏ ମୁହୂର୍ତ୍ତେ, ନାହିଁ ତିଳେ ଡେରି ।’’

ଶୁଣିଲା ଭିକ୍ଷାର୍ଥୀ କର୍ଣ୍ଣେ, ଯୋଡ଼ି ବେନି କର,

ବଖାଣିଲା ଗମ୍ଭୀରେ ବଚନ,

‘‘କୋଟିପତି ପାଶେ ସିନା ଆସିଥିଲି ଆଶେ

କରିବାକୁ ସାର୍ଥକ ଜୀବନ ।

ବଡ଼ ମୋ କୁଟୁମ୍ୱ, ତହୁଁ ଧନ ଭିକ୍ଷା ଲାଗି

ଲୋଡ଼ିଥିଲି ଶ୍ରୀଛାମୁଙ୍କ ଭେଟ;

କି ଲାଭ ଭିକ୍ଷୁକ ହାତୁଁ ଘେନି ଭିକ୍ଷା ଦାନ ?

ଜାତି ଯିବ, ନ ପୂରିବ ପେଟ ।

ଶୁଣିଲେ ନୃମଣି, ଅର୍ଥ ନ ପାରିଲେ ବୁଝି;

ବିଚାରିଲେ , ବାଚାଳ ସେ ଜନ,

ତେବେ, ବିଧି ରକ୍ଷା ପାଇଁ ଆଦେଶିଲେ, ‘‘ତ୍ୱରା

ପାତି ହାତ, ଘେନି ଭିକ୍ଷା ଧନ ।’’

ପ୍ରସାରିଲା ନାହିଁ କର ଦରିଦ୍ର ଭିକ୍ଷାଶୀ;

ପୁଣି ଥରେ କହିଲା ବଖାଣି,

‘‘ଭିକ୍ଷାର୍ଥୀ ହାତୁ ତ ଭିକ୍ଷା ନେବା ନୁହେଁ ଧର୍ମ,

ବୁଝୁଥିବେ ଛାମୁ ମହାଜ୍ଞାନୀ ।

ବିଭୁ ପୂଜି ନିଜେ ଭିକ୍ଷା ମାଗନ୍ତି ମଣିମା,

ମୋତେ ଭିକ୍ଷା ଦେବେ ପୁଣି କାହୁଁ ?

ଯେ ଦେବେ ଛାମୁଙ୍କୁ ଧନ ତାଙ୍କୁ ନିବେଦିଲେ,

ମୋ ଦୀନତା ନ ରହିବ ଆଉ ।’’

☆☆☆

 

ମା ନା ଦେଶ ?

 

ଆକ୍ରମିଲେ ଆସି କାହୁଁ ଶତ୍ରୁ ସେନା ଶତ,

ସମଗ୍ର ଜାପାନ ରାଜ୍ୟେ ପଡ଼ିଲା ସଙ୍କଟ ।

କେ କହିଲା, ‘‘ବୁଡ଼ିଯିବ ଦେଶର ସମ୍ମାନ;’’

କେହୁ କହେ, ‘‘ସ୍ୱାଧୀନତା ନାଶ ଗଲା ଜାଣ;’’

‘‘କି କଲେ ରହିବ ରାଜ୍ୟ ?’’ କେ ପୁଚ୍ଛିଲା ଦୁଃଖେ;

‘‘ଆହା ମୋର ମାତୃଭୂମି !’’ ଡାକିଲା ଆଉ କେ ।

ସାରା ସେ ଜାପାନ ଦ୍ୱୀପେ ପଡ଼େ ହାହାକାର,

ରାଜ୍ୟରକ୍ଷା ଲାଗି ଯୁଦ୍ଧେ ସକଳେ ତିଆର ।

ତେବେ, ଜିଣିଗଲା ବୈରୀ, ପଶିଲା ରାଇଜେ,

ଆପଦେ ଥରିଲେ ନୃପ ସିଂହାସନେ ନିଜେ ।

ପିନ୍ଧି ବର୍ମ ଆପେ, ଧରି କରବାଳେ କରେ,

ସାମାନ୍ୟ ସୈନିକ ବେଶେ ଗମିଲେ ସମରେ ।

ପଛେ ଗୋଡ଼ାଇଲେ ଯେତେ ରାଇଜ ସେନାନୀ,

ଶତ ଶତ୍ରୁ ମୁଣ୍ଡ ହେଳେ ଚାଲିଗଲେ ହାଣି ।

ତଥାପି ଅସଂଖ୍ୟ ଅରି ଆସିଲେ ତ ମାଡ଼ି,

ରଣଭୂମେ ଠିଆ ହେଲେ ଶତ ଲକ୍ଷ ଧାଡ଼ି ।

ଦେଖିଲେ ଜାପାନ ଭୂପ ବିଚାରିଲେ ମନେ,

‘‘ସତେ ମୁଁ ଏ ଶତ୍ରୁ ନାଶି ଜୟୀ ହେବି ରଣେ !’’

ସାରା ରାଜ୍ୟେ ପ୍ରଚାରିଲେ ଘୋଷଣା ସତ୍ୱର-

‘‘ପ୍ରତି ଯୁବା ଯୁଦ୍ଧଭୂମେ କରିବ ସମର;

କେବଳ ଘରକେ ଜଣେ ରହିବ ନ ଯାଇ,

ଘରର ରମଣୀଗଣେ ସାହା ହେବାପାଇଁ;

ବାକି ଯେତେ ଯୁବା ଦେଶେ ନ ରହିବେ ଘରେ,

ତେବେ ରାଜ୍ୟରକ୍ଷା ସିନା ହେବ ମହୀତଳେ ।’’

ଶୁଣି ରାଜଅଜ୍ଞା ରୁଣ୍ଡ ହେଲେ ରଣାଙ୍ଗନେ

ଲକ୍ଷ ଯୁବା, ନମି ଜନ୍ମଭୂମିର ଚରଣେ ।

ସମଗ୍ର ଜାପାନେ ବୀରପଣେ ଗଲେ ଥରି

ବନ ପରବତ ନଦୀ, ବିକମ୍ପିଲା ଅରି ।

ଥିଲା ଏକ ଘରେ ଯୁବା ବୟସେ ଅଠର;

ସମରେ ନ ଯାଇ ପାରି ବ୍ୟଥିତ ଅନ୍ତର ।

ବୁଢ଼ୀ ମାଆ ଭାରା ତାର ତୁଲାଇବା ପାଇଁ

ସେ ଏକା ପୁରୁଷ ଘରେ, ଜଣେ ଆଉ ନାହିଁ ।

ରାଜ ଆଜ୍ଞା ମାନି, ପୁଅ ରହିଅଛି ଘରେ;

ରାଇ ବୁଢ଼ୀ ପାଶେ ତାକୁ କହିଲା ଆଦରେ—

‘‘ରାଜ୍ୟ ଲାଗି ନ ଯୁଝିଲେ, ଏକଇର ବଳା,

ବାପା ଅଜା ମୁହେଁ ସିନା ଲଗାଇବୁ କଳା;

ଜୀଇ ମୁଁ ଦେଖିବି, ଧନ, କିପରି ନୟନେ ?

ମୁହିଁ ଚାଲିଗଲେ, ତୋତେ କେ ରଖିବ କ୍ଷଣେ ?

ବୀରବେଶେ ଯିବୁ, ବାବୁ, ଯୁଦ୍ଧଭୂମେ ଚାଲି,

ନାଶିବୁ ବଇରୀ, ରାଜ୍ୟ ରଖିଯିବୁ ତାରି ।’’

କହି ବୁଢ଼ୀ ପୁଏ ଧରି ଚୁମ୍ୱିଲା କପୋଳ,

ମାଗିନେଲା ନେତ୍ରନୀରେ ମେଲାଣି ସତ୍ୱର ।

ଖଣ୍ଡାଧାରେ ଦେଲା ତହୁଁ କାଟି ନିଜ ମୁଣ୍ଡ;

‘‘ନିଶ୍ଚିନ୍ତେ ଯାଅ ତୁ ଯୁଦ୍ଧେ’’ ତଳୁ କହେ ତୁଣ୍ଡ ।

ମାଆ ତୁଣ୍ଡୁ ଆଉ ପଦେ ନ ଶୁଣିଲା ପୁଅ,

ଦୁଇ ନେତ୍ରୁ ବହିଗଲା ଦୁଇ ଧାର ଲୁହ ।

ଚାଲିଗଲା ଗରୁ, ଶତ୍ରୁ ସଂହାରିଲା ରଣେ;

ରାଜ ଆଜ୍ଞା ରୋଧି ତାକୁ ନ ପାରିଲା କ୍ଷଣେ ।

☆☆☆

 

*ଅମର ବାଳକ

 

ଜଳିଆସେ ତରୀ, ସର୍ବେ ଗଲେଣି ପଳାଇ,

ଏକାଟିଆ ପିଲା ହୋଇଅଛି ଠିଆ;

ରଣ ନିଦାରୁଣ ଛବି ପ୍ରକାଶି ବିକଟ,

ଶବରାଶି ପରେ ଜଳୁଅଛି ନିଆଁ ।

ତେବେ ହେଲେ ପିଲା ଚାରୁ ସହାସ୍ୟ ବଦନେ

ଠିଆଟି ହୋଇଛି, ନ ମାନି ଅନଳ,

ବୀର-ଦମ୍ଭଭରା ତାର ଧମନୀ-ଶୋଣିତ,

ପିଲା ସତ,ରୂପ ଗର୍ବ-ବିମଧୁର ।

ଆଗୁ ଆଗୁ ଆସେ ବହ୍ନି; ପିତା ଅନୁମତି

ନ ପାଇ, ଆସ୍ଥାନୁ ନ ଘୂଞ୍ଚେ ପିଲାଟି;

ବାପା ତ ସେ ଶୋଇଛନ୍ତି ମରଣ-ତଳପେ,

ଦୂରୁ ତାର ଏବେ ନ ଶୁଣନ୍ତି ପାଟି ।

ଗୁରୁ ସ୍ୱରେ ପୁଚ୍ଛେ ଟାଣି, ‘‘କହ, ବାପା, କହ,

ରହିବା ମୋ ଏଥି ଲୋଡ଼ା କି ହେବ ଆଉ ?’’

ନ ଜାଣେ କିଞ୍ଚିତେ ପିଲା ବାପାଙ୍କ କି ଦଶା,

ଏତେ ଡାକ ତାର ଶୁଣିବେ ସେ କାହୁଁ?

‘‘କହ, ବାପା, ବେଗେ,’’ ପୁଣି ପୁଚ୍ଛିଲା ପିଲାଟି

‘‘ଯାଇକି ପାରିବ ଏଥୁ ଏବେ ମୁଁହିଁ ?’’

ରଣ-ତୋପମାନ, ଆହା, ଦିଅନ୍ତି ଉତ୍ତର

ଜଳି ଆସେ ବହ୍ନି ବେଗୁ ବେଗ ହୋଇ ।

କପାଳେ ଲାଗିଲା ତାର ପ୍ରଖର ସେ ଝାସ,

ମୁକୁଳିତ କେଶ ପରଶିଲା ଖରେ;

ସେ ମୃତ୍ୟୁ ନିଜନ ପୀଠୁଁ ଅନାଇଲା ପିଲା

ନିରାଶେ, ତଥାପି ସାହସ ଅନ୍ତରେ ।

ଆଉ ଥରେ ଶୁଣି ଉଚ୍ଚେ ଭାଷିଲା ସେ ରାଇ,

‘‘କହୁଛ କି, ବାପା, ରହିବି ମୁଁ ଏଥି ?’’

ସେତେବେଳେ ତରୀ ପାଲୋ ରଜ୍ଜୁ ରାଶି ଭେଦି

ବେଗୁ ବେଗ ବହ୍ନି ଆସୁଥାଏ ମାତି ।

ଭୀମ ଶୋଭାବନେ କ୍ଷଣେ ଜଳିଲା ତରଣୀ

ଜଳିଲା ଗଗନେ ତରଣୀ-ପତାକା;

ସମୀରଣେ ରଣଧ୍ୱଜା ସମ ସେ ଅନଳ

ଘୋଟି ପିଲାଟିରେ ବିଭାତିଲା ଶିଖା ।

ନିମିଷେ ଶୁଭିଲା ତହୁଁ ଘନ ବଜ୍ର ନାଦ,

ପିଲାଟି ସେ-ଆହା, କାହିଁଛି ପିଲାଟି ?

ଯେ ପବନେ ଉଡ଼ିଗଲା ତରୀ ଖଣ୍ଡମାନ

ପୁଚ୍ଛ ତାରେ, ଏକା କହିବ ସେହିଟି ।

ଉଡ଼ିଗଲେ ସ୍ତମ୍ଭ, କାତ, ତରଣୀ-ନିଶାଶ,

ତରୀ-ବକ୍ଷେ ଯେତେ ଆତୁଳନ ଶିରୀ;

ନିଠୁର ଦହନେ ମଲା ପୋଡ଼ି ସେ ପିଲାଟି,

ଏ ମରତେ, ଆହା, ହେବ କେ ତା ସରି ?

 

* ଆଫ୍ରିକାର ନାଇଲ ନଦୀରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ୧୭୯୮ ସାଲରେ ଯୁଦ୍ଧ ହୋଇଥିଲା । ସେ ସମୟରେ ଗୋଟିଏ ଫରାସୀ ଯୁଦ୍ଧ ଜାହାଜର ଅଧ୍ୟକ୍ଷ ନିଜର ଦଶ ବର୍ଷ ବୟସର ପୁଅଟିକୁ ନେଇ ସେ ଜାହାଜରେ ଥିଲେ । ତାହାର ନାମ କାସାବାଂକା । ଜାହାଜ ଅଧ୍ୟକ୍ଷ କାସାବାଂକାକୁ କହିଲ, ‘‘ମୁଁ ଫେରିବା ପର୍ଯ୍ୟନ୍ତ ତୁ ଏହି ସ୍ଥାନରେ ଠିଆ ହୋଇଥା ।’’ ଏହା କହି, ସେ ପୁଅକୁ ଜାହାଜର ଗୋଟାଏ ସ୍ଥାନରେ ଠିଆ କରାଇଦେଇ, ନିଜେ ଅନ୍ୟ ସ୍ଥାନକୁ ଚାଲିଗଲେ । ମାତ୍ର ସେ ଅଳ୍ପ ସମୟ ପରେ ଯୁଦ୍ଧରେ ମରିଗଲେ । ବାପା ଆସିବେ ବୋଲି କାସାବାଂକା ସେହି ଏକ ସ୍ଥାନରେ ଅପେକ୍ଷା କରି ଠିଆ ହୋଇ ରହିଲା । ଏ ସମୟରେ ଜାହାଜର ନିଆଁ ଲାଗିଲା । ସେହି ବିଷୟ ଏ ପଦ୍ୟରେ ବର୍ଣ୍ଣନା କରାଯାଇଛି ।

☆☆☆

 

*ମର୍ତ୍ତ୍ୟେ ନାହିଛି ଏକା

 

ଦୂର ପରବାସେ ଚାଲି ଯିବେ ଭାଇ,

ବରଜି କୁଟୀର ସୋହାଗ ଶିରୀ;

ସେ ଲାଗି ସଙ୍ଗତେ ଆସିଛି ପିଲାଟି,

ଅଧବାଟେ ଦେବୁ ମେଲାଣି ବୋଲି ।

ବନ ବିଲ କେତେ ପାରି ହୋଇ ଆସି,

ତରୁ ତଳେ ବସି ରହିଲେ ବେନି,

ସେହିଠାରେ ଯିବେ ଦୁହେଁ ଦୁଇ ଆଡ଼େ,

କେତେ ଯୁଗ ଲାଗି ମେଲାଣି ଘେନି ।

‘‘ଦେଖୁଛୁ ତ, ବାବୁ ବନ ଗିରି ଘୋଟି

କି ଘୋର ବରଷା ଆସୁଛି ମାଡ଼ି,

ଯାଆ ତୁ ତୁରିତେ କେତେ ବାଟ ଯିବୁ,

ମୁଁ ତ ଏହିକ୍ଷଣି ଯିବଇଁ ଚାଲି ।

ବିଲ ବଣ ବାଟେ ଦେଖି ଚାହିଁ ଯିବୁ,

ନ ତିନ୍ତିବୁ ପାଣି, ଟେକିବୁ ଛତି,

ବସି ଉଠି କାହିଁ ହେଳା ନ କରିବୁ,

କଲେ ହେଳା ହୋଇଯିବ ରେ ରାତି ।

ଭୋକ କଲେ ବାଟେ ଖାଇବୁ, ବାବୁରେ

ଶୋଷ କଲେ ପାଣି ପିଇବୁ ନିକି,

ଦୁହେଁ ସିନା ଥିଲେ ଆସି ଆସି ଖେଳି,

ଏକା ତୁହି ଚାଲି ପାରିବୁଟି କି ?’’

ନିଜ ପିନ୍ଧା ଖଣ୍ଡି ପାଲଟି ଭାଇଟି

ଭାଇରେ ବସନ ଦେଲା ପିନ୍ଧାଇ,

ବାଟେ ବିଲ ବନେ ମେଘ ବରଷିବ

ଦେଲା ଭାଇ ହାତେ ଛତିଟି ନେଇ ।

ନିଜ ବାଟ ଖର୍ଚ୍ଚୁ ଖେଣ୍ଟି ସେ କହିଲା,

ଦେଇ ଭାଇ ହାତେ କଉଡ଼ି ଗଣି,

‘‘ଗାଆଁ ରୁ ଗାଆଁକୁ ଯହିଁ ଯାହା ମିଳେ

ଖଜା ପିଠା ମୁଆଁ ଖାଇବୁ କିଣି ।

ବୋଉକୁ କହିବୁ ଭାଇ ଗଲେ ସୁଖେ ।

ସାଥି ସାଙ୍ଗ ବାଟେ ମିଳିଲେ କେତେ,

ଖରା ବରଷା ତ ନ ଥିଲା ଦେଖିଛି

ବାଟ ଶ୍ରମ ହୋଇ ନ ଥିବ ପ୍ରତେ ।

କହିବୁ ମୋ ଲାଗି ଭାଳିବ ନାହିଁଟି,

କାନ୍ଦିଲେ, ବାବୁରେ, କରିବୁ ତୁନି,

ରାତି ହେଲେ ଯାଇ କୋଳେ ଶୋଉଥିବୁ

ବଞ୍ଚିଛି ପରା ସେ ଆମରି ଘେନି ।

ଘରେ ଗଲେ ସୁଖେ ଖେଳିବୁ ବୁଲିବୁ

ମୋ କଥା ମନେ ତୁ ହେଜିବୁ ନାହିଁ,

ଯାଉଛି ସିନାରେ ଚାଲି ଆଜି ବାବୁ,

ମାସେ ନୋହୁ ଫେରି ଆସିବି ମୁହିଁ ।

ମଲ୍ଲୀ ଗଛଟିରେ ଦେଉଥିବୁ ପାଣି,

ଶୁଆଟିକି ଦୁଧ ଦେବୁରେ ନିତି;

ହେଳା ନ କରିବୁ ମୁଁ ଫେରି ଆସିଲେ

ଆଣିଥିବି ଭଲ ପଞ୍ଜୁରି ଗୋଟି ।

ଯାଆ ଏବେ ଯାଆ ଠିଆ ମୁଁ ହୋଇଛି,

ସେ ବାଙ୍କ ସଡ଼କ ହେଲେ ତୁ ପାରି,

ଆଉ ଯେବେ ତୋରେ ନ ଦେଖି ପାରିବି

ମୋ ବାଟେ, ବାବୁ ରେ ଯିବି ମୁଁ ଚାଲି ।’’

ଗଲା ଭାଇ ପାଶୁଁ ଠିଆ ସେ ହୋଇଛି,

ଭାଇ ଲୁଚିଗଲା ସଡ଼କ ବାଙ୍କେ,

ପୋଛି ଟପ ଟପ ନୟନୁଁ ଲୋତକ,

ଧୀରେ ପାଦ ଚାଳି ଚାଲିଲା ଦୁଃଖେ ।

ବରଷା ବତାସି ମାଡ଼ି ଯେ ଆସିଲା,

ଛତା ନାହିଁ ହାତେ ତିନ୍ତିଲା ତନୁ;

ସାହା ସାଥି ନାହିଁ, ଭୋକ ଯେ କରୁଛି,

ଭାଇ କଥା ଭୁଲି ନ ପାରେ ମନୁ ।

‘‘ଏକାଟିରେ କେବେ ଛାଡ଼ି ତ ନ ଥିଲି

ଘରୁ ନୋହିଥିଲୁ ବାହାର ଦିନେ,

ଏ ପାଣି-ପବନେ ବିଲ-ବଣ-ବାଟେ

ଚାଲୁଥିବୁ ବାବୁ, କି ହୀନିମାନେ !

କାନ୍ଦିଲେ, ‘କାନ୍ଦନା’ କିଏ କହିବ ରେ,

ଲୁହ ପୋଛିଦେବ ତୁନିଟି କରି ?

ମାଆ ମଣିନାଗ, ମୋ ଦୁଃଖୀ ଭାଇରେ

ସର୍ବ ଶୁଭେ ଆଜି ନିଅ ଗୋ ଚାଳି ।’’

ଏକାଟିରେ ବାଟେ ଭାଳି ଏତେ ମନେ

ମିଳିଲା ସଞ୍ଜେ ସେ ପ୍ରବାସ ବାସେ,

ମାଆ ଭାଇ, ବେନି ପରାଣ ସଙ୍ଖାଳି

ମୁରୁଛି, ଏକାଟି ରହିବ ମାସେ ।

ମାସକ ଅନ୍ତରେ ଫେରିବ ଘରେ ସେ,

ଭାଇରେ ଦୋସର ଦେଖିବ ଯାକ,

କେତେ କିବା ନେବ ଭଲ ଦ୍ରବ୍ୟ ବାଛି,

ପଞ୍ଜୁରି ତ ନେବ ଶୁଆଟି ପାଇଁ ।

ଭାଇଟି ତାର ଯେ ବାଟ ଚାଲି ଏଣେ,

ଆସୁଛି ବରଷା ବତାସି ସହି,

ଛତିଟି ଧରିଛି ହାତେ ସେହିପରି,

ଭ୍ରମେ ମାତ୍ର ଥରେ ନ ଦିଏ ଫେଇ ।

କଉଡ଼ି ମୁଠିଟି ଖୋଷି ରଖିଅଛି

ଭୋକେ ଶୋଷେ ତାର ଜଳୁଛି ପେଟ,

ଗାଆଁରୁ ଗାଆଁକୁ ଖଜା ପିଠା କେତେ

ଦେଖେ, କିଣିବାକୁ ନ ଯାଏ ହାତ ।

ବସି ଉଠିଯାଏ ବଣ-ବିଲ-ବାଟେ,

ସାହା ସାଥି ଜଣେ ନାହିଁଛି କେହି,

କେତେ ବାଟ ତାର ଯିବାକୁ ଅଛି ତ

ଅନ୍ଧାର ଘୋଟି ଯେ ଆସିଲା ମହୀ ।

ସାଇଁ ସାଇଁ ବହି— ଆସିଲା ପବନ

ଟପ ଟପ ପାଣି ବରଷେ ଟାଣେ,

ବିଜୁଳି ଚମକ, ଘଡ଼ଘଡ଼ି ନାଦେ

ବଣଜନ୍ତୁ ନାହିଁ ବୁଲନ୍ତି ବଣେ ।

କେତେ ବନ ଗିରି ପାରି ହେଲେ ପିଲା,

ଭାଇ କଥା ମନେ ହେଉଛି ଭାଳି,

‘‘ଏକାଟିରେ ମୁହିଁ ଚାଲି ଯେ ଅଇଲି

କେତେ ଆହା ନୋହୁଥିବେ ସେ ଘାରି ।

ପରବାସେ ଯାଇ କେଉଁ ଗଛ ମୂଳେ

ବସିଥିବେ ଦୁଃଖେ ମଥାଟି ପୋତି,

ଆହା ବୋଲିବାକୁ କାହିଁ କେ ନ ଥିବ,

ପାଇବ କିପରି ଏ କାଳ ରାତି ?’’

ସେ କାଳ ରାତି ଯେ ପାଉନାହିଁ ତାର,

ବାଟ ବଣ କିଛି ନୋହୁଛି ବାରି,

ଘନୁଁ ଘନ ବଳି ହେଉଛି ଅନ୍ଧାର,

ଯେତେ ଦୂର ସେହୁ ଯାଉଛି ଚାଲି ।

ନଈ ବହିଯାଏ କଳ କଳ ନାଦେ

ପେଲିନିଏ କେତେ ପଥର କାଠ,

ଆଖି ବୁଜି ପିଲା ପଡ଼ିଲା ତ ଡେଇଁ

ଆର କୂଳେ ପରା ମିଳିବ ବାଟ ।

ପରବ ସେ ଭାଇ ଗଣୁଅଛି ଦିନ

ମାସକ କଣ୍ଟ ତ ପୂରିଲା ଆସି;

ରାତି ହେଲେ ତାକୁ ନିଦ ଯେ ନୋହୁଛି,

ଦିନ ବେଳେ ଥିରେ ନପାରେ ବସି ।

କେତେ ନୂଆ ଦ୍ରବ୍ୟ ବାନ୍ଧିଛି ସଙ୍ଗତେ,

ପଞ୍ଜୁରିଟି ହାତେ ଅଛଇ ଧରି,

ସେହି ବିଲ ବଣ ବାଟେ, ଚାଲ ଭାଇ

ଚିହ୍ନା ଗଛ ତଳ ହୋଇଲା ପାରି ।

ଘରେ ଆସି ଦେଖେ ଶୁଆ ନାହିଁ ଆଉ

ମଲ୍ଲୀ ଗଛ ଶୁଖି ହେଲାଣି ହାଡ଼,

‘କାହିଁ ଭାଇ ମୋର’ ? ପଚାରି ଦିଅନ୍ତା

କଥା ନାହିଁ ଆସେ ତୁଣ୍ଡକୁ ତାର ।

ମଣିନାଗ ଗିରି ତୋଳିଛି ତା ମଥା

ମଦାଗ୍ନି ସୁଅ ତ ନୋହିଛି ଊଣା,

ରଣପୁରେ ଅଛି ସବୁ ସେହିପରି

ଭାଇଟି ତା ମର୍ତ୍ତ୍ୟେ ନାହିଁଛି ସିନା ।

 

* ରଣପୁର ଗଡ଼ଜାତ ରାଜ୍ୟ ଥିଲା, ଏବେ ପୁରୀ ଜିଲ୍ଲାର ଅନ୍ତର୍ଗତ ହୋଇଛି । ରଣପୁର, କବିଙ୍କ ଜନ୍ମସ୍ଥାନ ବାଣପୁରକୁ ଲାଗିଛି । ମଣିନାଗ ପାହାଡ଼ ତଳେ ରଣପୁର ଗଡ଼ । ମଦାଗ୍ନି ନଈ ରଣପୁର ଗଡ଼ ପାଖେ । ତାହା ଦୟା ନଦୀରେ ପଡ଼ି ଚିଲିକାକୁ ଯାଇଛି ।

☆☆☆

 

*ବୁଜିଦେଲା ଆଖି

 

ଉଡ଼ିଯାଇଅଛି ନଡ଼ା, ବତା ନାହିଁ ଚାଳେ,

ଏ ଯେ ବଖରାଏ ଘର ଗ୍ରାମର ବାହାରେ ।

ପାଞ୍ଚ ବର୍ଷ ଅବା କାନ୍ଥେ ନାହିଁ ଲୁଣ୍ଡା ବାଜି,

ଅଡ଼ଙ୍ଗ ପାହାଚ ପିଣ୍ଡା ପଡ଼ିଅଛି ଭାଜି ।

ପାଖ ଗଛେ ଦିବସେ ତ ରାବେ ପେଚା ବସି,

ଭୁକନ୍ତି ବିଲୁଆ ପଲ ଘର ମଧ୍ୟେ ପଶି ।

ଜନ ପ୍ରାଣୀ କେବେ ରହି ପାରନ୍ତି ସେ ଘରେ ?

ଗାଆଁ ପିଲେ ନ ମାଡ଼ନ୍ତି ପାଖ କୋକ ଡରେ ।

ସେହି ଘରେ ଶୋଇଅଛି ଭୂଇଁଶେଯ ପାତି ।

ସତୁରି ବରଷ ବୁଢ଼ୀ ନିର୍ଭୟେ ଏକାଟି ।

ପତି ତାର ଥିଲା ଦିନେ ଗାଆଁ ଚଉକିଆ,

ସେକାଳ ବିଭବ ମନେ କେ ଭାଳିବ କିଆଁ ?

ଦଇବ ନ କରେ ବାଛ, ଗଲା ତାକୁ ଘେନି;

ନେଇଥାନ୍ତା, ନେଲା ନାହିଁ ପତିପତ୍ନୀ ବେନି ।

ବିଭାଚୁଡ଼ା ହୋଇ ପୁଅ ରହିଛି ଅଲଗା;

ଯୁବା ଯୁବତୀଙ୍କି କାହିଁ ବାପା ବାଆ ପଘା ?

ବାଆନ ବରଷ ଦିନେ ବୁଢ଼ୀ ଛାଟିଆଣୀ

ନିଜ ଉପାର୍ଜନେ ପେଟେ ଦିଏ ଅନ୍ନ ପାଣି ।

ଶେଷେ ଗୋଡ଼ ରହିଗଲା, ନ ପାରିଲା ଉଠି;

ଜଠରେ ପଡ଼ିଲା ନାହିଁ ନିତି ଅନ୍ନମୁଠି ।

ଧଇଲା ଗ୍ରହଣୀ ବ୍ୟାଧି, କଲା ଅସମ୍ଭାଳ;

ତଳେ ବୁଢ଼ୀ ଘୁଷୁରିଲା, ନ ପୂରଇ କାଳ।

ମଳମୂତ୍ରେ ଘାଣ୍ଟି ସେହୁ ହେଲା ଦିନୁ ଦିନ;

ଯେତିକି ଘଟେ ତା କ୍ରମେ ଆୟୁ ହେଲା କ୍ଷୀଣ ।

ଅସ୍ଥି ଚର୍ମ ବିନେ କିଛି ନ ରହିଲା ଆଉ,

ବିହି ପରା ଶୁଝାଉଛି ଯଉବନ-ଦାଉ !

ଦିନେ ରବି ବୁଡ଼ି, ମାଡ଼ି ଆସିଲା ରଜନୀ,

ନିବିଡ଼ ଅନ୍ଧାରେ ଗଲା ନିମଜ୍ଜି ଧରଣୀ ।

ଗାଆଁ ମଧ୍ୟେ ଖାଇ ପିଇ ଗାଆଁ ଯାକ ଲୋକେ

ଯେ ଯା ବାସେ ନିଦ୍ରାକୋଳେ ଶୋଇଲେ ନିଧୋକେ ।

କେତେ ପେଚା ରାବ ଦେଲେ, କେତେ ଶିବା ଶ୍ୱାନ,

ନିଦ ନ ଭାଜିଲା କାର, ନ ଶୁଣିଲା କାନ ।

କେତେ ଯମଦୂତ ଦାଣ୍ଡେ ଚାଲିଲେ ଅନ୍ଧାରେ,

ଗ୍ରାମେ ଜଣେ ନ ଦେଖିଲା ଘୋର ନିଶାକାଳେ ।

ଯୁବା ନିରେଖିଲା ନିଦେ ଯୁବତୀ ସ୍ୱପନ ,

ଶିଶୁରୋଳ ନିବାରିଲ ଜନନୀର ସ୍ତନ ।

ଏଣେ, ହୁଏ ଛଟ ପଟ ଛାଟିଆଣୀ ବୁଢ଼ୀ,

ଖୋଜେ ବାଟ ପ୍ରାଣବାୟୁ ଯିବାପାଇଁ ଉଡ଼ି ।

ପକାଉଛି ଡାକ କା’କୁ ବ୍ୟାକୁଳେ ସେ କେତେ—

ପୁଅ ବୋହୂ ସାଥୀ ନାତି ନାତୁଣୀ ତା ଯେତେ ।

ଖଉଁ ଖର ବହିଗଲା ନାକରୁ ନିଶ୍ୱାସ;

ହିକା ଉଠି ଗଲା କମ୍ପି ଅବନୀ ଆକାଶ ।

ଅୟୂତ ଯୋଜନ ଦୂରେ ଶୁଣିଥିବ ଯମ,

ଅଳ୍ପେ ଅବା ଦ୍ରବିଥିବ କଠୋର ତା ମନ ।

ତରାଟି ଚାହଁଇ ବୁଢ଼ୀ କୋରଡ଼ିଆ ଆଖି,

ଦାନ୍ତ କଡ଼ମଡ଼ କରେ ଯମଦୂତେ ଡାକି ।

ପଡ଼େ, ଉଠେ, ପୁଣି ପଡ଼େ, ନ ପାରେ ସେ ବସି;

ଭୟେ କାଳ ପାଶେ ସତେ ପାରୁନାହିଁ ପଶି ।

ସନ୍ନିପାତ ବେଳର ତା ବିକଟ ମୂରତି;

ଅସ୍ଥି ଚର୍ମେ ଆବିର୍ଭୂତ କାହୁଁ କି ଶକତି !

ଶେଷେ ଥୟ ହେଲା ବୁଢ଼ୀ, ଆସିଗଲା କାଳ;

ବେନି ନେତ୍ରୁ ବହିଗଲା ବେନି ଅଶ୍ରୁଧାର ।

ପୁରୁଣା ଦଦରା ତାର ଡୋରି ଗୋଟି ଗୋଟି

ଅଳ୍ପ ଟାଣେ ଛିଣ୍ଡାଇ ସେ ଦେଲା ତଳେ ଲୋଟି ।

ହାତ ଯୋଡ଼ିବାକୁ ସିନା ନ ପାଇଲା ବଳ,

ନମସ୍କାରେ ମତ୍ତ୍ୟୁଁ ନେଲା ମେଲାଣି ସତ୍ୱର;

ଯେ ମର୍ତ୍ତେ ଜୀବନ୍ତେ ଦୀର୍ଘ ବରଷ ସତୁରି,

ବିନାୟୁଧେ ଯମ ସଙ୍ଗେ ଲଢ଼ିଥିଲା ବୁଢ଼ୀ;

ଧପଧପ ଜଳି ଦୀପ ନିଭିଲା ପରାୟେ,

ବୁଜି ଆହା ଦେଲା ଆଖି ସେ ବିଜନ ଗାଏଁ ।

କେତେବେଳେ ପାହିଥିବ କେଜାଣି ସେ ରାତି,

ସତେ ପାଇଥିବେ ବାର୍ତ୍ତା କୁଟୁମ୍ୱ ଗିଆଁତି ?

 

* ଏହା ଏକ ସତ୍ୟମୂଳକ ଘଟଣା । କବିଙ୍କ ଜନ୍ମସ୍ଥାନ ଶ୍ରୀନିବାସପୁର ଗ୍ରାମର ଏକ ପ୍ରାନ୍ତରେ ଗ୍ରାମ ଚଉକିଦାରର କୁଡ଼ିଆ ରହିଥିଲା । ଚଉକିଦାରର ମୃତ୍ୟୁପରେ, ତା ପୁଅ ମାକୁ ଛାଡ଼ି, ଭାର୍ଯ୍ୟାକୁ ଧରି ଅନ୍ୟତ୍ର ଚାଲିଗଲା । ତେଣିକି ମାଆଟି ନିଜେ ପରିଶ୍ରମ କରି, ମୁଣ୍ଡଝାଳ ତୁଣ୍ଡରେ ମାରି ଚଳିଲା । କବି ଥରେ ପ୍ରବାସରୁ ଫେରି ତାର ମୃତ୍ୟୁବର୍ଣ୍ଣନା ଶୁଣିଲେ ।

☆☆☆

 

ଭାଉପୁର ନ୍ୟାୟ

 

ଜପତପେ ସିଦ୍ଧପୂତ କୁଶଳ ବାବାଜୀ,

ଅଷ୍ଟାଙ୍ଗ ଶରୀରେ ଭସ୍ମ ଆଚ୍ଛାଦେ ବିରାଜି,

ଦିନେ ଚେଲାଙ୍କ ସହିତ

ଭାଉପୁର ରାଜ୍ୟେ ଆସି ହେଲେ ଉପନୀତ ।

ସେ ରାଜ୍ୟେ ଏକଇ ମୂଲ୍ୟ ସବୁ ଦ୍ରବ୍ୟ ପାଇଁ,

ସୁନା ରୂପା କୁଣ୍ଡା ସାରୁ ମଧ୍ୟେ ଭେଦ ନାହିଁ

ଚେଲା କହନ୍ତି ତା ଦେଖି,

‘‘ନ ଯାଇ ଅନ୍ୟତ୍ର ଆସେ ଏ ରାଜ୍ୟ ଉପେକ୍ଷି ।’’

କରି ନାସ୍ତି ବାରମ୍ୱାର ବାବାଜୀ ପ୍ରଥମେ,

ସ୍ୱୀକୃତି ଭରିଲେ ଶେଷେ ଚେଲାଙ୍କ ବଚନେ;

ଦିନେ ବସି ନରପତି

ନରହତ୍ୟା ମକଦ୍ଦମା କରନ୍ତି ନିଷ୍ପତ୍ତି ।

ମୃତ୍ୟୁ ଘଟିଅଛି ଭାଙ୍ଗି ପଥର ପାଚୀରି;

ସେ ଲାଗି ହୋଇଛି ଧରା ଆସାମୀ ମିସ୍ତିରୀ;

ମିସ୍ତ୍ରୀ କରେ ନିବେଦନ,

‘‘ମୁଁ ନୁହେଁ ପ୍ରକୃତ ଦୋଷୀ ବୁଝନ୍ତୁ ରାଜନ !’’

‘‘ପାଚୀରିଟା ଗଢ଼ୁଥିଲି ବସି ମୁଁ ଯେକାଳେ,

ନାରୀ ବାଟେ ଗଲା ଶୋହି ବହୁ ଅଳଙ୍କାରେ;

ଆଖି ରହିଲା ମୋ ଲାଖି,

ସେ ଯୋଗେ ଘଟିଲା ଖୁଣି, ଈଶ୍ୱର ମୋ ସାକ୍ଷୀ ।’’

ତାକୁ ଛାଡ଼ି ନାରୀ ମୁଣ୍ଡେ ପଡ଼ିଲା ଚଡ଼କ,

ନାରୀ କହେ, ‘‘ମୋତେ ଦଣ୍ଡ ଦିଅ ନିରର୍ଥକ,

ମୋର ଯେତେ ଅଳଙ୍କାର

ବିଳମ୍ୱେ ବଣିଆ ଆଣି ଦେଲା,ମୁଁ ନାଚାର ।’’

ବଣିଆ ଆସିଲା ବେଗେ ହୋଇ ତହୁଁ ଧରା,

କହିଲା, ‘‘ନ ଥିଲା ମୋର ହତିଆର ପରା,

ଦେଲା ଉଛୁରେ କମାର;

ତାକୁ ଧରି ଶୂଳୀ ଦିଅ, ଆହେ ଗୁଣାଗାର !

କମାର ମାନିଲା ଦୋଷ, ହେଲା ଶୂଳୀଦଣ୍ଡ;

ମାତ୍ର ସେ କହିଲା, ‘‘ମୋତେ ଶୂଳୀ ଦେବା ପଣ୍ଡ;

ନିତି ପିଟେ ମୁଁ ହାତୁଡ଼ି;

ପିଚା ମୋର ପଡ଼େ ଉଠେ, ନ ଲାଗିବ ଶୂଳୀ ।’’

ମୋ ଶାଳ ସମୀପେ ବସି ବରଗଛ ଛାୟେ

ବାବାଜୀ କରନ୍ତି ଜପ ଉଇହୁଙ୍କା ପ୍ରାୟେ;

ଶୂଳୀ ଘେନିବାର ପାଇଁ

ତାଙ୍କ ଭଳି ଥୟଜନ ସାରା ମର୍ତ୍ତ୍ୟେ ନାହିଁ ।’’

ଶୁଣିଲେ ବାବାଜୀ ବଜ୍ର ପଡ଼ିଲାଣି ଶିରେ,

ଚେଲା ସହ ମନ୍ତ୍ରଣାରେ ବସିଗଲେ ଧୀରେ;

କଥା ସ୍ଥିର ଶେଷେ ହେଲା—

ଆଗେ ଶୂଳି ଘେନିବାକୁ ବାହାରିବେ ଚେଲା ।

ଶୂଳିଖୁଣ୍ଟ ପାଶେ ଦିନେ ରାଜା ମନ୍ତ୍ରୀ ବେନି,

କହନ୍ତି ଚେଲା,‘‘ମୁଁ ଆଗେ ଯିବି ଶୂଳି ଘେନି’’;

ନାସ୍ତି କରନ୍ତି ବାବାଜୀ;

କହନ୍ତି, ‘‘ଆଗେ ମୁଁ ଯିବି, ଏଟା ବଡ଼ ପାଜି ।’’

ବାବାଜୀଙ୍କୁ ନ ଛାଡ଼ନ୍ତି ଚେଲା ତ ଶୂଳିକି,

କହନ୍ତି, ପ୍ରଥମେ ଶୂଳି ଘେନିବେ ସେ ନିକି,

ଅତି ବିଚିତ୍ର ବେଭାର

ଆଗ ମରିବାକୁ କିପାଁ ଏସନ କଟାଳ ?

ତଥ୍ୟ ବୁଝିବାକୁ ପ୍ରଶ୍ନ ପଚାରନ୍ତେ ନୃପ,

କହିଲେ ବାବାଜୀ, ‘‘ଅତି ପବିତ୍ର ଏ ଯୂପ;

ଶୂଳି ଘେନିଲେ ପ୍ରଥମେ,

ରାଜା ହେବା ଲେଖେ ଶାସ୍ତ୍ରେ ଭବେ ଆର ଜନ୍ମେ ।

‘‘ଦ୍ୱିତୀୟେ ଘେନିଲେ ଶୂଳି ମିଳେ ମନ୍ତ୍ରିପଦ;

ରାଜା ହେବ,ଆସ୍ପର୍ଦ୍ଧା, ମୁଁ ଥାଉ ଏ ବଳଦ !

ଗୁରୁ ଯେଣୁ ମୁହିଁ ତାର,

ମୁଁ ରାଜା, ସେ ମନ୍ତ୍ରୀ ସିନା ଉଚିତ ବିଚାର ।’’

ଶୁଣି ରାଜା ମନ୍ତ୍ରିବରେ କହିଲେ ତକ୍ଷଣେ,

‘‘ପୂଣ୍ୟବଳେ ରାଜା ମନ୍ତ୍ରୀ ହେଲେ ଏ ଜନମେ;

ଏବେ କେ ପାରିବ କହି,

ଆର ଜନ୍ମେ ଭାଗ୍ୟେ ପୁଣି କିସ ଅଛି ରହି ?’’

‘‘ଏ ମାହେନ୍ଦ୍ର ଯୋଗ ଆଜି ନ ଯିବାଟି ହୁଡ଼ି,

ମୁହିଁ ରାଜା ହେବି, ଆଗେ ଘେନେ ତେବେ ଶୂଳି;

ତୁମେ ମନ୍ତ୍ରୀ ହେବ ମୋର,

ପଛେ ଶୂଳିଖୁଣ୍ଟେ ବସ, ତୁଟୁ ଗଣ୍ଡଗୋଳ ।’’

ରାଜ୍ୟସାରା ପ୍ରଜାବର୍ଗ ହୋଇଗଲେ ରୁଣ୍ଡ,

ଚକିତେ ଚାହାନ୍ତି ସର୍ବେ, ନାହିଁ ପାଟିତୁଣ୍ଡ;

ନେତ୍ରେ ଦେଖିଲେ ଆନନ୍ଦେ,-

ଯେ ବେନି ବସିବେ ଭାରୀ ରାଜା ମନ୍ତ୍ରୀପଦେ ।

କେତେ ଶତ ବର୍ଷ ବିତିଗଲାଣି ଜଗତେ,

କାଳସ୍ରୋତେ ହୋଇଗଲାଣି ଭଙ୍ଗାଗଢ଼ା କେତେ,

କିନ୍ତୁ ଭାଉପୁର ନ୍ୟାୟ

ଉଲୁଗୁଣା ମହୀତଳୁ ନ ଯାଉଛି ହାୟ !

☆☆☆

 

ମଧୁସୂଦନ

 

ଉତ୍କଳ-ବରଣ୍ୟେ ସୂନୁ ହେ ମଧୁସୂଦନ,

ତୁମ୍ଭ ଲାଗି ଏକା ଆଜି ଏ ଉତ୍କଳ ଧନ୍ୟ ।

ଦେଶ ବିଦେଶେ ତ ତାକୁ ଚିହ୍ନାଇଲେ ଲୋକେ

ତା କିରତୀ ଘୋଷାଇଲ ପରଜନ ମୁଖେ ।

ଜଗତ ଅନନ୍ତ-ସ୍ରୋତେ ଚଳାଇଲ ନେଇ

ପୂଣ୍ୟ କରଯୁଗେ, ନିଜେ କର୍ଣ୍ଣଧାର ହୋଇ ।

ଅତୀତ ଅକ୍ଷୟ ଶିରୀ ଅତୀତ-ଗରଭେ,

ଲୁଚି ସିନା ରହିଥାନ୍ତା ଜନନୀର ଭବେ ।

କି ନବ ଜୀବନ-ବାରି ସିଞ୍ଚି ଅବହେଳେ,

ନବ ଜୀବ ଦାନ ଆଜି କରିଛ ଉତ୍କଳେ ।

ସପନ-ଦୁର୍ଲ୍ଲଭ ଏହି ନବ ଜାଗରଣେ

ବିରାଜୁଛ, ଦେବ, ପୁଣ୍ୟ କନକ-ଆସନେ ।

ବସି ରାଜଦରବାରେ, ହେ ବର ସନ୍ତାନ,

ଅରଜିଛି ଜନନୀର ବହୁ ସନମାନ ।

ଶାସକ ଦୁଆରେ ପ୍ରଜା ଦାବି ଅଳି ଯେତେ,

ଶିଖାଇଛ ଉତ୍କଳକୁ ମରମ ସଙ୍କେତେ ।

ଘରେ ଘରେ, ଉତ୍କଳର ଇଷ୍ଟ ଦେବ ପରି,

ତୁମ୍ଭ ନାମ ଘୋଷୁଛନ୍ତି କୋଟି ନରନାରୀ ।

ବାଳ ବୃଦ୍ଧ ଯୁବା ବାଳା ବନିତା ବଦନେ

କାହିଁ ନାହିଁ ତୁମ୍ଭ କଥା ହୃଦ-ଆରାଧନେ?

ସାଗର ଶଇଳ ଗ୍ରାମ ବନ ପଦାବିଲେ

ତଡ଼ିତ ପରଶ ଯାଏ ଖେଳି କାହା ଗିରେ ?

ଜନ୍ମଭୂମି ଲାଗି ଯେତେ କଠୋର ସାଧନା,

ଯେତେ ତବ ପରାଣର ଜ୍ୱଳନ୍ତ ବେଦନା ।

ଦିନେ, ଦେବ, ରୋଗଶେଯେ ଶୋଇ ନିଯାତନେ

କହିଥିଲ ପଦେ କତା ମୁକ୍ତ ଆଳପନେ ।

ନୟନ-ସୀମାନ୍ତେ କ୍ଷଣେ ମୁକ୍ତାବିନ୍ଦୁ ଢାଳି,

ବହିଗଲା ଦୁଇ ନେତ୍ରୁ ଦୁଇ ବିନ୍ଦୁ ବାରି ।

ନିମିଷେ ନୟନ ଗଲା ମୁଦିହୋଇ ମୋର,

କି ବିରାଟ ବ୍ୟକ୍ତି ତୁମେ ଚିହ୍ନିଲି ନିକର ।

କେତେମନ୍ତେ କେତେ ଦିନ ଏହି ପରିଚୟ

ଦେଇଛ ଉତ୍କଳେ, ଆହେ ତା ଆଦିତନୟ !

ଲବେ କି ପ୍ରତିଭା ତବ ପାରିବୁଁ ବିସୋରି,

ତୁମରି ଆଦର୍ଶେ, ଦେବ, ଏ ଜୀବନ ଗଢ଼ି ?

ଥାଅ, ଦେବ, ବଞ୍ଚିଥାଅ, ହେ ମଧୁସୂଦନ,

ଘୋଷଥାଉ ଉତ୍କଳ ଏ ‘ମଧୁବାବୁ’ ନାମ ।

କୋଟି ଜନ ହୃଦୁଁ ହୃଦେ, ଉତ୍କଳ-ପିତା,

ଢାଳିଯାଅ ପରାଣର ନିଗୂଢ଼ ବାରତା ।

ଗଢ଼ିଯାଅ ଜାଣୁଁ ଜଣେ କରି ତୁମ୍ଭ ଭଳି

ଯେତେ ଏ ଉତ୍କଳ ଦେଶେ ଆଜି ନରନାରୀ ।

ସେହିମାନେ ତୁମର ହେ ସେନେହ-ତନୟ,

ଢାଳି ଦିନେ ଦେବେ ପଦେ ଦୁର୍ଲଭ ହୃଦୟ !

ଗ୍ରାମୁଁ ଗ୍ରାମେ ରଖିଯାଅ ଶତ ଶତ ଶିଷ୍ୟ,

ତୁମ୍ଭହାତେ ଗଢ଼ା ହେଉ ଏ ଭୂମି-ଭବିଷ୍ୟ ।

ତେଜ ସର୍ବ, ଥରେ ଯେତେ ଉତ୍ସର୍ଗିଛ ଲେଶ,

ଅପୂର୍ଣ୍ଣ ନୈବେଦ୍ୟେ ମାତା ନ ଲଭନ୍ତି ତୋଷ ।

ଉତ୍କଳ ବରେଣ୍ୟ ସୂନୁ, ହେ ମଧୁସୂଦନ,

ତୁମ୍ଭଲାଗି ହେଉ ଭବେ ଏ ଉତ୍କଳ ଧନ୍ୟ ।

☆☆☆

 

*ଗଡ଼ରକ୍ଷା

 

‘‘ଯାଉଛି, ପ୍ରିୟେ ଗୋ, ପାହିଲାଣି ରାତି

ଯାଏ ମୁଁ, ମେଲାଣି ଦିଅ ସତ୍ୱର;

ରାଜା ରାଜ୍ୟଜନେ ଡାକୁ ଯେ ଅଛନ୍ତି,

ଶତ୍ରୁ ସେନା ବେଢ଼ିଗଲେଣି ଗଡ଼ ।

ବୁଢ଼ା ପିଲା ଯୁବା ଯୁବତୀ ଅଭେଦେ

କୁଟୀରୁଁ ସଉଧୁଁ ହୋଇ ବାହାର,

ଯିବେ ରଣଭୂମେ, ଲଢ଼ି ପ୍ରାଣପଣେ,

କରିବେ ଅରାତି ସେନା ସଂହାର ।

ମୁହିଁ ଯେବେ ଯିବି, ସମରେ ଚାଲିବି

ବଛା ବୀର ଶ୍ରେଷ୍ଠ ସଇନ ଶତ;

ସମର ପ୍ରାଙ୍ଗଣେ ଶୁଆଇବି ଶତ୍ରୁ,

ଢାଳିବି ସହସ୍ର ଶତ୍ରୁ-ରକତ ।

କାଢ଼ିବି ତୂଣୀରୁ ତୀକ୍ଷଣ୍‌ ଶର ଯେତେ,

ଶତ୍ରୁ ସୈନ୍ୟ ଖୋଜି ବିନ୍ଧିବି ଲାଖେ,

ମୋ ଶତ ସଇନେ ବିନ୍ଧିବେ ମୋ ସହ

ବଇରୀ ଶୋଇବେ ବିକଳ ଡାକେ ।

ଏ ଦେଶ ପର୍ବତ ବନ ନଦୀ ପଦା,

ସୁଖେ ଯହିଁ ପଦେ ଚାଲିଛି ମୁହିଁ,

ବିନ୍ଦୁ ରକ୍ତ ଦେହେ ଥିବାଯାଏ ମୋର,

ଶତ୍ରୁ କି ଗୋ କେବେ ପାରିବ ଛୁଇଁ ?

ଉଇଁ ଆସିଲାଣି ପୂର୍ବ ନଭେ ରବି,

ପାଟଳ ବରଣେ ବୁଡ଼ାଇ ଧରା;

ସମରେ ମୁଁ ଯିବି, ଏ ସାରା ରାଇଜ

ଶତ୍ରୁ-ରକ୍ତେ ସିକ୍ତ କରିବି ତ୍ୱରା ।

ଯଉଅଛି, ପ୍ରିୟେ, ଶୁଭେ ରଣବାଦ୍ୟ

ହରଷେ ମେଲାଣି ଦିଅ ସତ୍ୱର;

ରାଜ୍ୟ ରାଜ୍ୟବନେ ଲୋଡ଼ୁତ ଅଛନ୍ତି,

ଶତ୍ରୁ ସେନା ଘେରି ଗଲେଣି ଗଡ଼ ।’’

‘‘ଏ କି କଥା କହ, ପ୍ରାଣେଶ, ସତେ କି

ତୁମେ ବିନେ ମୁହିଁ ରହିବି କ୍ଷଣେ ?

କେବେ କି ରମଣୀ ରହିପାରେ ବାସେ

ପରାଣ-ପତିଙ୍କି ପଠାଇ ରଣେ ?

ଘର ତ ଅଟଇ ନାରୀର ରାଇଜ,

ରକ୍ଷକ ତା ନାରୀ, ଆନ କେ ନୁହେ,

ବିନ୍ଦୁ ଅଶ୍ରୁ ନାରୀ ନ ଢାଳେ ନୟନୁ,

ପେଷି ରଣେ ନିଜ ଦଇତ, ପୁଏ ।

ସମରେ ରଞ୍ଜିତ ସ୍ୱାମୀ-ସୁତ-ହାତ

ସମ ସମ୍ପଦ କି ଅଛି ନାରୀର ?

ଚିରକାଳ ନାରୀ ହୋଇଛି ଏଭଳି,

ଏହା ଏକା ସଦା ହେବା ତା ସ୍ଥିର ।

ନିଅ ସଙ୍ଗେ ମୋତେ ରଣଭୂମେ, ପ୍ରିୟ,

ନ ରହିବି ବାସେ ପତି ବରଜି,

ଯେତେ ଥର ତୁମେ ବଙ୍କାଇବ ଧନୁ,

ତେତେ ଥର ଶର ଦେବି ମୁଁ ଖଞ୍ଜି ।’’

‘‘ଟାଣି ଧନୁ ଗୁଣ ଟଙ୍କାର ଶବଦେ

ତେଜେ ଯୁବା ଯେତେ ତେଜିଲା ଶର,

ଚକିତେ ଚୌଦିଗେ ଦେଖିଲେ ସରବେ,

ଧରିଛି ତୂଣୀର ଯୁବତୀ କର ।

କରେ କରେ ଛନ୍ଦି ଯୁଗଳ ଦମ୍ପତି

ଚାଲିଛନ୍ତି ଆଗେ ସମରଭୂମେ;

ପଛେ ଶତ ବୀର ସଇନ ଚାଲନ୍ତି,

ମୁଗ୍‌ଧ ସର୍ବେ ନାରୀ ବୀରତ୍ୱ ଗୁଣେ ।

ଚାଲି ବୀର ଦର୍ପେ ଗଲେ ବେନି ହର୍ଷେ;

ଆରୋହିଲେ ତ୍ୱରା ଗଡ଼ ପ୍ରାଚୀର,

ଦେଖିଲେ, ଅରାତି- ସଇନ ସାମନ୍ତ

ମାଡ଼ି ରହିଛନ୍ତି ପ୍ରାନ୍ତର ବିଲ ।

ଘନୁ ଘନ ରଣ- ବାଇଦ ବାଜିଲା,

ସମର-ପତାକା ଉଡ଼ିଲା ନଭେ;

ସେ ଶତ ସଇନ ବୀର କଣ୍ଠ ତେଜି

ରଣ-ଗୀତ-ତାନ ଉଠିଲା ଗର୍ବେ ।

ଶୁଣି କାନେ, ବୀର ଯୁବକ-ଯୁବତୀ

ଆରମ୍ଭିଲେ ମିଳି ବିଷମ ରଣ;

ଥରୁ ଥରୁ ଯୁବା ବଙ୍କାଇଲେ ଧନୁ,

ଖଞ୍ଜିଦେଲା ଧରି ଯୁବତୀ ବାଣ ।

ଯୁବତୀ ସମକେ ଦୋସର ବୀରତ୍ୱେ ?

ଯୁବା ଖ୍ୟାତି ଦେଶେ ଜାଣନ୍ତି ଜନେ;

ଯେତେ ଶର ବେନି ବିନ୍ଧିଲେ ହୁଙ୍କାରି

ଭେଦିଗଲା ଠିକେ ବଇରିଗଣେ ।

କେତେ ଶତ ଶତ୍ରୁ କେଜାଣି ସେ ଘାତେ

ପଡ଼ିଲେ ଭୂତଳେ ମୁଦି ଦୟନ;

ବଇରୀ ଶିବିର ପାଲଟିଲା ଦୃଶ୍ୟେ

ନର-ଶବ-ପୂର୍ଣ୍ଣ ଶ୍ମଶାନସମ ।

ସହସା ଅରାତି- ସେନାଦଳୁଁ କାହୁଁ

ବର୍ଚ୍ଛା କାଳରୂପି ଆସିଲା ଉଡ଼ି,

ଗର୍ଜି ଶତ୍ରୁ ସେନା କହିଲେ, ‘‘ଏ ବର୍ଚ୍ଛା

ବୀର ଯୁବା ବକ୍ଷ ନ ଯିବ ହୁଡ଼ି’’ ।

ଶୁଣନ୍ତେ ଯୁବତୀ ବିଜୁଳି ସଞ୍ଚାରେ

ପତି ଆଗେ ଉଭା ହୋଇଲା ଯାଇ,

ପତି ତା ସେକାଳେ ଟାଣୁ ଥିଲା ଧନୁ

ପତ୍ନୀ ଶର ଖଞ୍ଜି ଦେବାର ପାଇଁ ।

ଅଲକ୍ଷିତେ ଆସି ବର୍ଚ୍ଛା ନିଦାରୁଣ

ଭେଦିଲା ଯୁବତୀ-ବକ୍ଷ କୋମଳ,

‘‘ଗଲି ପ୍ରାଣେଶ’’ ସେ କହି ହେଲା ତୁନି

ଭୂତଳେ ପଡ଼ିଲା ଢଳି ସତ୍ୱର ।

ଚାହିଁ ନେତ୍ରେ ଥରେ; ବିଧୁର ଯୁବକ

ଲାଗିଗଲା ରଣେ ଦିଗୁଣ ବଳେ,

ବଙ୍କାଏ କାର୍ମୁକ, ନାହିଁ ତ ପ୍ରେୟସୀ,

ଆପେ ତୀର ଖଞ୍ଜି ବିନ୍ଧଇ ଖରେ ।

ଶତ ସୈନ୍ୟ ଥିଲେ ଯାଇ ଯେ ତା ସଙ୍ଗେ,

ଧନୁ ଗୁଣେ ଯୋଡ଼ି ନାହାନ୍ତି ତୀର,

ତେବେ ରଣଭୂମେ ବଇରୀ ସଇନୁଁ

ଜଣେ ପ୍ରାଣେ ନାହିଁ ରହିଲା ବୀର ।

ସାଉଧ କୁଟୀର ଅଭେଦେ ରାଇଜେ

ବ୍ୟାପିଲା ସେ ବୀର-ନାରୀ-କୀରତି,

‘ନାରୀ ତ ରଖିଲା ଏ ଦେଶ ମହତ୍ତ୍ୱ’

ମୁଖୁଁ ମୁଖେ ଗଲା ତୁରିତେ ରଟି ।

ନାରୀ ବୀରପଣେ ଯେ ସଇନ ଶତ

ରଣଭୂମେ ଥିଲେ ଦେଖି ନୟନେ,

ଧନୂଶର ବର୍ଚ୍ଛା ଖଡ଼ଗ ତୂଣୀରେ

ସ୍ମୃତିପୀଠ ଗୋଟି ରଚିଲେ କ୍ଷଣେ ।

ସେ ଭଙ୍ଗୁର ସ୍ମୃତି ନାହିଁ ଆଜି ଆଉ

ଗଡ଼ ପ୍ରାଚୀରଟି ପଡ଼ିଛି ଭାଜି,

ସହସ୍ର ବରଷ ଗଲାଣି ସେ ଦିନୁ,

ନିହି କାଳଗର୍ଭେ ଘଟଣା-ରାଜି ।

ତେବେ ସେ ରାଇଜେ ରଜା ପ୍ରଜା ସର୍ବେ

ବରଷକେ ତହିଁ ମିଳନ୍ତି ଦିନେ,

ଗରବେ ହୁଙ୍କାରି କହନ୍ତି, ‘‘ନ ଥାନ୍ତା

ଏ ଦେଶ ତ ନାରୀ-ବୀରତ୍ୱ ବିନେ ।’’

 

* ଏ ପଦ୍ୟରେ ବର୍ଣ୍ଣିତ ଘଟଣାଟି ଗୋଟିଏ କିମ୍ୱଦନ୍ତୀର ବିଷୟ । ବିହାର ରାଜ୍ୟରେ ମାନଭୂମି ଜିଲାରେ ବରାହଭୂମି ଗୋଟିଏ ଓଡ଼ିଆବହୁଳ ଅଞ୍ଚଳ । ତାହା ସିଂହଭୂମି ଜିଲ୍ଲାକୁ ଲାଗିଛି । ସିଂହଭୂମି ଜିଲାର ଚକ୍ରଧରପୁରରେ ୧୯୧୯ ମସିହାରେ ଉତ୍କଳ ସମ୍ମିଳନୀର ବୈଠକ ହୋଇଥିଲା । ବରାହଭୂମିର ଓଡ଼ିଆ ପ୍ରତିନିଧି ସେଥିରେ ଯୋଗ ଦେଇଥିଲେ । କିମ୍ୱଦନ୍ତୀଟି ସେହିମାନେ କହିଥିଲେ । ଥରେ ଶତ୍ରୁ ଉତ୍ତର ଦିଗରୁ ଆସି ବରାହଭୂମି ଆକ୍ରମଣ କଲେ । ସେହି ଘଟଣାରେ ଓଡ଼ିଆ ଯୁବକ ଯୁବତୀ ନିଜର କୃତୀତ୍ୱ ଦେଖାଇ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ।

☆☆☆

 

*ପିଲାଟି

 

‘‘ବହୁଛି ଶୀତଳ ପବନ ଗଛ ପତ୍ର ହଲାଇ,

ଯାଆ ଯାଆ ଏବେ ପିଲାରେ, ଆଉ ଟାଣୁ କି ପାଇଁ ?

କେତେ ତ ହେଲାଣି ଉଛୁର, ଭୋକ କରୁ ଯେ ଥିବ,

ଟାଣି ଟାଣି ତୋର ହାତକୁ ପୀଡ଼ା ଲାଗି ଟି ଯିବ ।

ବସ ଯାଇ ଥିର ହୋଇରେ, ଅଙ୍ଗ ଶରମ ଭାଙ୍ଗି,

ଝାଳ ମୋର ମରିଗଲାଣି ଥଣ୍ଡା ପବନ ଲାଗି ।’’

‘‘ଝାଳ ବାବୁ ତୁମ ଦେହୁ ହେ ମରିନାହିଁ ଆହୁରି,

ଟୋପା ଟୋପା ହୋଇ କପାଳୁ ଏଇ ପଡ଼ଇ ଝରି ।

ଭୋକ ଶୋଷ ମୋତେ ନାହିଁ ତ, ଘରେ ଆସିଛି ଖାଇ,

ଏଇଟିକ ଶ୍ରମେ ହାତକୁ ବାଧିଯିବ କିପାଇଁ ?’’

‘‘ନ ବାଧୁ ପଛେ ତୋ ହାତକୁ; ଭୋକ ଶୋଷ ନ ଥାଉ;

ଯାଆ ଯାଆ ଚାଲି ପିଲାରେ, ଏବେ ନ ଟାଣ ଆଉ ।

ଲାଗିଲାଗି ଥଣ୍ଡା ବହୁତ ବିଞ୍ଚା ପବନେ ତୋର,

ବାଟଚଲା ଶ୍ରମ ପରାଣୁ କଟିଗଲାଣି ମୋର ।

ଯାଅ ଚାଲି ଏବେ ଉସତେ ବସ ଶୀତଳ ହୋଇ

ଦେହ ସୁଖ ଲାଗି ପବନ ଆଉ ଲୋଡ଼ା ମୋ ନାହିଁ ।’’

ଲୋଡ଼ା ନାହିଁ ବୋଲି, ବାବୁ ହେ, କିପାଁ କରୁଛ ମନା,

ବିଞ୍ଚିଦେବାରେ ମୁଁ ଦେହକୁ ସୁଖ ହୋଇବ ସିନା ।

ଏ ଶ୍ରମ ଟିକକେ କିପାଇଁ ଅଙ୍ଗେ ଲାଗିବ ବ୍ୟଥା ?

ଏ କାମ ତ ହେଲା ମୋହର ନିତି ଦିନର କଥା ।’’

‘‘ବୟସେ ବାଳୁତ ପିଲାରେ, ବଡ଼ ଅବୁଝା ତୁହି,

ଖାଲିଟାରେ କିପାଁ ପଡ଼ୁଛୁ ଏତେ ଶ୍ରମ ମୋ ପାଇଁ ?

ଯେ ତୋରେ ଖୁଆଇ ପିଆଇ ରଖିଛନ୍ତି ପାଖର,

ତାଙ୍କ କଥା ସିନା ନିତି ତୁ କରୁଥିବୁ ନିକର ।

ମୋ ସଙ୍ଗେ ତୋର ଏ ମରତେ କହ ଅଛଇ କିସ,

ମୋ ଲାଗି ନ ଟାଣ ପଙ୍ଖା ତୁ, ଥିର ହୋଇବଟି ବସ ।’’

‘‘ଥିର ହୋଇ ବସିଥିବ ତ ମାଆ ମୋର ଅନାଇ,

ଏତେ ତ ଉଛୁର ହେଲାଣି, ବାପା ଆସିଲେ ନାହିଁ ।

ବାପା ମୋର କାଠ ହାଣୁ ଯେ ଥିବେ ବଣ ଭିତରେ,

ମୁହିଁ ଟାଣୁଥିବି, ବାବୁ ହେ, ପଙ୍ଖା ଏଇ କୋଠିରେ ।’’

‘‘ସୁଲୁ ସୁଲୁ ବାଆ ବୋହୁଛି, ଦେଖୁନାହୁଁ କି ତୁହି ?

ବିଅର୍ଥେ ଶରମ ଏଭଳି କରୁଅଛୁ କିପାଇଁ ?

ଗଛପତ୍ର ହଲି ଯାଉଛି, ଧୂଳି ଯାଉଛି ଉଡ଼ି,

ଦେହୁଁ ମୋର ଝାଳ ପବନେ ଏବେ ଗଲାଣି ମରି ।

ନ ରହି ନ ରହ ଏଥି ତୁ କ୍ଷଣେ ମାତର ଆଉ,

ଥିର ହୋଇ ଯାଇ ବସ ଯା, ପଙ୍ଖା ଟାଣିବା ଥାଉ ।’’

‘‘ଗଛ ହଲୁଅଛି, ବାବୁ ହେ, ପତ୍ର ଯାଉଛି ନାଇଁ,

ପଙ୍ଖା ହାତେ ନଇଁ ନଇଁଟି ହଲୁ ଥିବଇଁ ମୁହିଁ ।

ସୁଲୁ ସୁଲୁ ବାଆ ବହୁଛି ଧୂଳି ଯାଉଛି ଉଡ଼ି;

ପଙ୍ଖା ଖଣ୍ଡ, ବାବୁ, ମୋ ହାତେ ଉଡ଼ୁଥିବ ସେଭଳି ।’’

‘‘ବହୁତ ତୁ ନଇଁ ନଇଁ ରେ ହଲିଲୁଣି ମୋ ପାଇଁ;

କେତେବେଳେ ଉଡ଼ିଲାଣି ଏ ପଙ୍ଖା ତୋ ହାତେ ଥାଇ ।

ବେଳ ତ ହେଲାଣି ଉଛୁର, ହାତ ହେବଣି ବଥା,

ଭୋକ କରିବଣି ପିଲା ରେ, କିପାଁ ନ ଶୁଣୁ କଥା ?

ଯାଅ ଯାଅ ଏଥୁଁ ତୁରିତେ, ବସ ଶୀତଳ ହୋଇ,

ଏକ୍ଷଣି ଆସିବେ ଫେରି ତୋ ନିଜ ବାବୁ ଏଠାଇଁ ।’’

‘‘ବସ, ବାବୁ,ଥିରେ କ୍ଷଣକ, କାହିଁ ଯାଉଛ ଚାଲି ?

ଆଉ ଦଣ୍ଡେ ଟାଣିଥାଏ ମୁଁ, ଯିବି ଯେବେ ବାହାରି ।

ନିତି ନିତି କେତେ ଗାଳି ଯେ ଖାଏ କାମ ଉପରେ,

ହସି ଖେଳି ଆଜି, ବାବୁ ହେ, ଟାଣେ ମୁହୂର୍ତ୍ତେ ହେଲେ ।’’

‘‘କିଏ ସେ ଏଭଳି, ପିଲାରେ, ମହୀମଣ୍ଡଳେ ଅଛି,

ନିତି ନିତି କାମେ ନିଠୁରେ ତୋତେ ଗାଳି ଦେଉଛି ?

ହସି ଖେଳି ଆଜି ଏଥି ତୁ ଟାଣିଲୁଣି ତ କେତେ,

ଏତିକିରେ ଥାଉ, ଏବେ ତୁ ବସ ଯାଇ ଉସତେ ।

ରାମ ରାମ ହୋଇ ଦେହୁତ ଝାଳ ଯାଉଛି ବହି,

ଆସ ଏବେ ପୋଛିଦେବି ରେ ପାରୁ ନଥିବୁ ସହି ।’’

‘‘ସତେ, ବାବୁ, ଶ୍ରମ ଟିକକ ନାହିଁ ଘେନିବ ମୋର,

ମୁଁ ବିଞ୍ଚିଲି ବୋଲି ଅଙ୍ଗୁ ମୋ ହାତେ ପୋଛିବ ଝାଳ ?

ତୁମ ପାଖେ ରହି ଏତିକି ପଙ୍ଖା ଟାଣିବା ହେଉ,

କି ଅଛି ମୋ, ତାପେ ଦେହୁ ହେ ଝାଳ ତୁମରି ବୋହୁ ।’’

ଏତେ କହି ଆହା, ମୋ ପାଶୁଁ ଗଲା ପିଲାଟି ଚାଲି,

ଯିବାବେଳେ ନେତ୍ର ଯୁଗଳେ ଢଳଢଳଇ ବାରି ।

ଖଣ୍ଡେ ଦୂର ଯାଇ ମଉନେ ବସି ରହିଲା ସତ,

କି ଅବା ଭାଳଇ ପରାଣେ ଥିର ନୁହଇ ଚିତ୍ତ ।

ସୁଲୁ ସୁଲୁ ବାଆ ବୋହିଲା ଗଛ ପତ୍ର ହଲାଇ,

ନିମିଷକେ ତହିଁ ପିଲାଟି ଗଲା ଉଭେଇ କାହିଁ ।

ଦୂର ଗିରି ଚୂଳ ବିପିନେ ବହେ ମଳୟ ଧାରା,

ଗଭୀର ପ୍ରବାହେ ଗଗନେ ଭାସେ ଜଳଦମାଳା ।

ନଦୀ ହ୍ରଦ ସୁଧାଉରସେ ଖେଳି ଉଠଇ ନୀର,

ମୃଦୁଳ ସମୀର ପରଷେ ଭାଷି ସରଗ-ଗିର ।

ଏ ସକଳେ ଏବେ ପିଲାଟି ନିଭି ଯାଇଛି କାହିଁ,

ନିତିପ୍ରତି ଅନିସାରେ ମୁଁ ଆଉ ଦେଖଇ ନାହିଁ ।

ପୁଣି କେବେ ହେବ ଗ୍ରୀଷମ ଋତୁ ପ୍ରବେଶ ଆସି

ନବ ବାରିବହ ଗଗନେ ଧୀରେ ଉଡ଼ିବ ଭାସି ।

ପିକ ଆମନ୍ତ୍ରଣ ପାଇବି ମୃଦୁ ମଳୟ ଧାରେ,

ସଖା ସ୍ନେହ ଯାନେ ବିହରି ଆସି ମିଳିବି ଢାଳେ ।

ନିରେଖିବି ଦୂରେ ଶ୍ୟାମଳ ମେଘାସନ ଶିଖର,

ବଳଙ୍ଗ ଜଟିଳ ସୈକତେ ଶୁଣି ତଟିନୀ କଳ ।

ସେତେବେଳେ ଖୋଜି ପିଲାଟି ନାହିଁ ପାଇଲେ ହେଳେ,

ଦେଖି ତ ପାରିବି ତୃପତେ ତାରେ ବିଚ୍ଛେଦ ଜାଳେ ।

‘ବାରୁଣୀ’ ନିର୍ଝରେ ପଖାଳି ଶ୍ରମ ତାପିତ କାୟା,

‘ସରାଳି’ ସମୀର ପ୍ରବାହେ ଲଭି ସାୟାହ୍ନ ଛାୟା;

ବାହୁଡ଼ି ସ୍ୱଦେଶେ ଆସିଲେ, କିସ ଲୋଡ଼ିବି ଆଉ ?

ତା ପଲ୍ଲୀ ନିକୁଞ୍ଜ ନିକେତେ ଲୁଚି ପିଲାଟି ଥାଉ ।

 

* କବିତାର ବିଷୟବସ୍ତୁ ମୟୂରଭଞ୍ଜର ଘଟନା । କବି କାର୍ଯ୍ୟାନୁରୋଧରେ ଜଣେ ବନ୍ଧୁଙ୍କ ସହିତ ଯାଇ ବାରିପଦାର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ଉପସ୍ଥିତ ହୋଇଥିଲେ । ପିଲାଟି ଏହାଙ୍କ ଘରେ ଚାକିରି କରୁଥିଲା । ସେଠାରେ ସେତେବେଳେ ବିଜୁଳି ପଙ୍ଖା ଚାଲି ନ ଥିଲା । ବାରିପଦାରେ ଗ୍ରୀଷ୍ମଋତୁରେ ପ୍ରବଳ ଗ୍ରୀଷ୍ମ ହୁଏ । କେହି କେହି ଘରେ ଟଣାପଙ୍ଖା ବ୍ୟବହାର କରନ୍ତି । ବଳଙ୍ଗ ନଦୀ ବାରିପଦାର ଉପକଣ୍ଠରେ । ସହରର ସାମାନ୍ୟ ବାହାରକୁ ଗଲେ ମେଘାସନ ପର୍ବତ ଦେଖାଯାଏ । ବାରିପଦା ନିକଟବର୍ତ୍ତୀ ଗୋଟିଏ ପଲ୍ଲୀଗ୍ରାମରେ ପିଲାଟିର ଘର ।

☆☆☆

 

*ଯାମସେଦପୁରେ

 

ଏହି ଯେ ନଗରୀ ଆଜି ମୁଁ ଦେଖେ ନୟନେ ଚାହିଁ,

ଧନ ଦଉଲତେ ଡଉଲ ସରି ଏହାର କାହିଁ ?

ସଉଧୁ ସଉଧ ଗଗନେ ଶିର ଉଠିଛି ଟେକି,

ମରତୁ ରଖିବା ପାହାଚ ବାନ୍ଧି ସରଗେ ନିକି !

ସୁଖ ସଉଭାଗ୍ୟେ ନିରତେ ହସି ରହନ୍ତି ଜନେ,

ମର ଦୁଃଖ ଶୋକ ନାହାନ୍ତି ସତେ ଦେଖି ନୟନେ ।

କଳେ ନିତି ଧନ ସମ୍ପଦ ଶିରୀ ଗଢ଼ନ୍ତି କରେ,

ଲୁହାରେ କରନ୍ତି ସୁନା ସେ କର ପରଶେ ଖରେ ।

କି ଅଛି ଅପୂର୍ବ ମର୍ତ୍ତ୍ୟେ ଯା ଧରି ନାହାନ୍ତି ବସି ?

ମନାସନ୍ତି ସତେ ଭୁଞ୍ଜିବେ ସ୍ୱର୍ଗ-ସମ୍ପଦ ହସି ।

ଏହି ଯେ ସମ୍ଭାର ନୟନେ ଦିନେ ଦେଖିବା ପାଇଁ

ନିଖିଲ ଭୁବନୁ ସରାଗେ ଜନେ ଆସନ୍ତି ଧାଇଁ ।

ମାଡ଼ି ସେ ଯାଆନ୍ତି ଚରଣେ ଶିଳା ସରଣୀ ପରେ,

ଅଜାଣିତେ କେତେ ଦରିଦ୍ର ଆଶା ବିଲୁପ୍ତ ଭାଲେ ।

କଳ ଘନ ମନ୍ଦ୍ର ଗର୍ଜନେ କର୍ଣ୍ଣେ ଶୁଣନ୍ତି ମିଶା

ଦୁଃଖିହୃଦ ବୃଥା ଗୁପତ ଧୀର ନୀରବ ଭାଷା ।

କେତେ ଆହା ପଲ୍ଲୀ କୃଷକେ ଚିତ୍ତ ଉଲ୍ଲାସ ତାନେ,

ହଳ ବାହି ଏହି ପ୍ରାନ୍ତର ଭରି ନ ଥିବେ ଦିନେ ।

କେତେ ତ କୃଷକ-ଘରଣୀ ଭୋକେ ଗିରସ୍ତ ଲାଗି

ଭାତ ଘେନି ବିଲେ ଇବଟି ଆସି ସରମେ ଭାଗୀ ।

ପ୍ରାଣପତି ପେଟୁ ବଳିଲେ, ଲତା ଉଢାଳେ ବସି,

ନିଜ ପେଟ ଅଳ୍ପେ ମଉନେ ଭରିଥିବଟି ହସି ।

ଫେରନ୍ତେ କୁଟୀରେ ଚରଣ ଲାଗିଥିବ ତା ଭାରି,

ଗିରସ୍ତ ସଙ୍ଗତେ ନଥିଲେ, କିବା କୁଟୀର-ଶିରୀ ?

ସେହି ଶିରୀମାନ ଭାଙ୍ଗି ତ ଗଢ଼ା ଏ ପୁରୀ ଆଜି,

ସେହି ପଲ୍ଲୀ-ସୁଖଶରଧା ଏଥି ରହିଛି ଭାଜି ।

ଖୋଳିଲେ ମୃତ୍ତିକା ପାଇବ ହଳ ଲଙ୍ଗଳ ଗାର,

ଦୁଃଖିହୃଦେ ଦେଖି ପାରିବ ଓନ ପୋଷଣ ଭାର ।

ଗଛ ଲତା ମୂଳ ନିକାଶେ ଆଜି ନଥିବ ଶୁଖି,

ଦିନେ ଯହିଁ କାଟି ଫସଲ ଚଷା ଥିବଟି ରଖି ।

କେଦାର-କନକ-ସମ୍ଭାରେ ଭରିଥିବ ତା ମନ,

ତୋଷେ ବରଷଟି ଖାଇ, ସେ ଯାପିପାରିବ ଦିନ ।

ଆଜି ଏବେ ଯାଇ କେବଣ ଦୂର ଦୁର୍ଗମ ପଥେ,

ଧରି ସ୍ତିରୀ ପୁତ୍ର କାନ୍ଦୁଟି ଥିବ ନିଶୂନ୍ୟ ପେଟେ ।

ସୁମରୁଥିବ ତା ଅତୀତ ଭବ-ସମ୍ପଦ-କଥା,

ଶମନ ଜୀବନ୍ତ ପୀଡ଼ନେ ନୋଇଁ ଦଇନେ ମଥା ।

ନିଦାରୁଣ ଏହି ଛବି କେ ଯେବେ ଦେଖିବ ଲୋଡ଼ି,

ଏ କୁବେର-ପୁରେ କିପାଇଁ ବାରେ ଆସିବ ବରି ?

ବୁଲିବାର ଯାଇ ଆସେ ତ ମରୁ ପଦା କାନନେ,

ଅନଶନେ ଯହିଁ ଉଦର ଜାଳି ଭ୍ରମନ୍ତି ଜନେ ।

ରହ, ହେ ନଗରନିବାସି, ଅର୍ଦ୍ଧ ନୃପତିରାଜି;

ନ ଫେରିବି ଦିନେ ଏ ପୁରେ, ତେଜି ଯାଉଛି ଆଜି ।

 

* ବର୍ତ୍ତମାନ ଯାମସେଦପୁର ଲୁହାକାରଖାନା ଯେଉଁଠାରେ ବସିଛି, ଚାଳିଶ ପଚାଶ ବର୍ଷ ପୂର୍ବେ ସେଠାରେ କାଳିମାଟି, ସାକ୍‌ଚି ପ୍ରଭୃତି ନାମରେ କେତେଗୁଡ଼ିଏ ପଲ୍ଲୀଗ୍ରାମ ଥିଲା । ଓଡ଼ିଆ ଓ ଆଦିବାସୀ କୃଷକମାନେ ସେ ସବୁ ଗ୍ରାମରେ ବାସ କରୁଥିଲେ । ଟାଟା କମ୍ପାନୀ ସେମାନଙ୍କୁ ସେଠାରୁ ବାସଚ୍ୟୁତ କରି ସେମାନଙ୍କ ପୈତୃକ ଭୂସମ୍ପତ୍ତି ଦଖଲ କରି ନେଲେ । ପ୍ରସିଦ୍ଧ ଶିଳ୍ପବିତ୍‌ ଯାମସେଦଜୀ ଟାଟାଙ୍କ ନାମ ଅନୁସାରେ ବର୍ତ୍ତମାନ ସହରର ନାମ ଯାମସେଦପୁର ହୋଇଛି ।

☆☆☆

 

ମରାଳ ଦମ୍ପତି

 

ଏ ତ ସେ ଦିନର କଥା

ଲବେ ମନୁଁ ଆଜି ଯାଇନି ପାସୋରି, ତିଳେ ଶମି ନାହିଁ ବ୍ୟଥା;

ଦେଖିଛି ଯାହା ସେ ନାଚୁଛି ନୟନେ,

ରସନାର ବାଣୀ ଶୁଭଇ ଶ୍ରବଣେ;

ଭୁଲିବାକୁ ସିନା ପାଞ୍ଚୁଛି, ଭୁଲିବାପାଇଁ ଯେ ନିମିଳେ ପନ୍ଥା ।

ଗୁନ୍ଥା ପ୍ରୀତିଡୋରେ ରହୁଥିଲେ ଭୋଳେ ମରାଳ ଦମ୍ପତି ବେନି;

ନୟନୁଁ ନୟନେ ହୋଇ ଦେଖାଦେଖି,

ହୃଦଗାଥା ନିତି ରଖୁଥିଲେ ଲେଖି;

ଏକ ଆନର ସେ ସେନେହ ବନ୍ଦନା ଭରନ୍ତି ଅନ୍ତରେ ଘେନି ।

ଦିନେ ନରରାଣ ଦାରୁଣ ସଂଘାତ ଲଭିଲା ମରାଳ ପତି,

ସର୍ବାଙ୍ଗ ଶରୀରେ ଭୋଗିଲା ଯାତନା

ରୋଧି ନ ପାରିଲା କରଣ ମୂର୍ଚ୍ଛନା,

ପ୍ରାଣେଶ୍ୱରୀ-ମୁଖ ଅନାଁଇ ଯେତେ ସେ ସଞ୍ଚିଲା ପରାଣେ ଶକ୍ତି ।

କେତେ କଲବଲ ହେଲା ସେ, ବିକଳ, କେତେ ହେଲା ଛଟପଟ,

ପଡ଼ିଲା ଉଠିଲା, ଆକୁଳେ ରାବିଲା,

ଦେଖିଥିଲେ ନିଶ୍ଚେ ତରଳନ୍ତା ଶିଳା;

ବଜ୍ରେ ଗଢ଼ା ବୁକୁ ଫାଟି ତ ଯାଆନ୍ତା, କି ଛାର ମାନବ ଘଟ !

ଦିନେ ମୃତ୍ୟୁ ଭଜି ନେତ୍ର ଯୁଗ ବୁଜି, ପଡ଼ିଲା ମରାଳ ଶୋଇ;

ମରଣ ପରଣେ ତନୁ ତା ନିଶ୍ଚଳ,

ହୃଦୟ ପାଲଟି ଯାଇଛି ପଥର ;

ମରାଳୀ ଜୀବନେ ପ୍ରଭାତ ସହସା ପ୍ରଦୋଷ ଗଲାଟି ହୋଇ ।

ଅନ୍ନ ଜଳ ଛାଡ଼ି ବିରହେ ମରାଳୀ ଜଗିଲା ମରାଳ ଶବ;

ପୂତିଗନ୍ଧ ମିଶିଗଲା ସମୀରଣେ,

କମ୍ପିଲା ଆବାସ ମାଛି ଗଣଗଣେ;

ଗଗନେ ଶୁଭିଲା ବିକଟ ମାଂସାଶୀ କୁଆ ଶାଗୁଣାଙ୍କ ରାବ ।

ଦିବାଗତେ ତହୁଁ କ୍ଷୁବ୍‌ଧ ଗୃହପ୍ରଭୁ ଶବ ଘୁଞ୍ଚାଇଲେ ବାସୁଁ;

ଭାବିଥିଲେ, ଶୋକେ ଚାହିଁବି ମରାଳୀ,

ନୀଡ଼ ତା ଭବନେ ଯିବ ନାହିଁ ଛାଡ଼ି;

ଦେଖିଲେ; ଚାଲେ ସେ ଅଧୀର ଚରଣେ ପଛେ ଅନୁସରି ଆଶୁ ।

ରୋଧିବାର ପାଇଁ ତାରେ ଗୃହସାଇଁ ବଢାଇଲେ କର ପରା,

ସେ କା ମରାଳୀ ଚୁମ୍ୱିଲା ଚଞ୍ଚୁକେ,

ଶୁଷ୍କମୁଖେ ତାଙ୍କୁ ଅନାଇଲା ଦୁଃଖେ;

ବାଣୀ ସିନା ନାହିଁ ସ୍ଫୁରିଲା କଣ୍ଠୁତା,ମାଗିଲା ମେଲାଣି ତ୍ୱରା ।

ଦେଖି ଗୃହପତି ଶୋକାକୁଳ ଅତି ନେତ୍ରୁ ଗଡ଼ାଇଲେ ଲୁହ;

ବୁଝିଲେ ମରାଳୀ ଯାଉଅଛି ସତୀ,

ନ ରହିବ ଏକା ତେଜି ପ୍ରାଣପତି;

ନୀରବେ ତୁରିତେ ଛାଡ଼ିଦେଲେ ବାଟ,ଶୂନ୍ୟ ହୋଇ ଗଲା ଗୃହ ।

☆☆☆

 

ସୈନିକର ସମ୍ମାନ

 

ନଗରଭ୍ରମଣେ ରାଜନ’ଛନ୍ତି ବାହାରି ଏକା,

ପବନ ବହିଲେ ପଥେ ସେ ହୋଇଯାଆନ୍ତି ଥକା ।

ଦେଖି ନାଗରିକେ ନୃମଣି-ମୁଖମଣ୍ଡଳ-ଶିରୀ,

କହନ୍ତି, ‘‘ରାଜନେ କୁଶଳେ ରଖିଥାଆନ୍ତୁ ହରି ।’’

ସେହି ବାଟେ ଗଲା ସେକାଳେ ଦୀନ ନିରେଖ ଅତି,

ଶବ ଗୋଟି ବୁହା ହୋଇ ସେ ଚିତା-ତଳପ ପ୍ରତି ।

ଦରଭଙ୍ଗା ଜୀର୍ଣ୍ଣ ଶକଟେ ଥାପି ଦଇନେ ତାରେ,

ଟାଣୁ ଜଣେ ଥିଲା ଏକାକୀ ଶୀତ ସମୀର ଧାରେ ।

ଶକଟେ ଗଡ଼ୁଛି ଶବଟି; ଦେହ ଦିଶୁଛି ଖାଲି,

ବଦନେ ପବନ ଲେପୁଛି ଖଣି ମାଟର ଧୂଳି ।

ଜଣକେ ସେ ଯାନ ସହଜେ ନାହିଁ ହେଉଛି ଟାଣି

ଶ୍ରମେ ତାର ଶୁଖିଯାଇଛି ମୁଖ, ନେତ୍ରେ ଚାହାଣି

ଦେଖି ଠିଆ ହେଲେ ନୃମଣି,ଠାରି ରାଇଲେ ତାରେ,

‘‘କାରେ ଏ ନେଉଛି ଶ୍ମଶାନେ ?’’ ବୋଲି ପୁଚ୍ଛିଲେ ଧୀରେ

‘‘ସୈନିକ ଜଣେ ଏ ମାତର,’’ କହି ପଦିକ କଥା,

ଟାଣି ପୁଣି ପଥେ ଚାଲିଲା, ଶ୍ରମେ ନୁଆଇଁ ମଥା ।

‘‘ସୈନିକ ଜଣେ ଏ ମାତର’’ ନୃପ ଶୁଣିଲେ ଗିର,

ଏ ଦେଶ ତନୟ ଜଣେ ଏ ଦୀନ ଅଥଚ ବୀର ।

ଚାଲ ଯିବି ମୁହିଁ ସଙ୍ଗତେ, ମର୍ତ୍ତ୍ୟେ ଏଭଳି ଜନ,

ସନମାନ ବିନେ ଶ୍ମଶାନେ ନେବା ନୁହେଁ ଘଟଣ ।’’

ନୁଆଇଁଲେ ମଥା ନୃପତି, ଦେଲେ ମୁକୁଟ କାଢ଼ି,

କୋଟିଏ ପରଜା-ମଉଡ଼ମଣି-ସମ୍ମାନ ଛାଡ଼ି ।

ଆଗେ ଚାଲିଅଛି ଶବଟି ପ୍ରାତ ଶୀତଳ ବାତେ,

ଅନୁସରି ପଛେ ଚାଲନ୍ତି ନୃପ ଶ୍ମଶାନ ପଥେ ।

ଦେଖିଲେ ନଗର-ନିବାସୀ, ଛାଡ଼ି ଆପଣା କାମ,

ଶବ ପଛେ ପଛେ ଚାଲିଲେ, ପୋତି ମଥାଟି ମାନ ।

ରାଜା ପ୍ରଜା ନାହିଁ ବିଭେଦ, ନାହିଁ ନଥିଲା, ଥିଲା,

ସର୍ବେ ପଥେ ଚାଲିଅଛନ୍ତି ବୁଢ଼ା, ଯୁବକ, ପିଲା ।

ଯେତେ ଦୂରେ ଗଲେ ଉଠିଲା ବଢ଼ି ତେତେ ଜନତା,

ଚିତା ପାଶେ ଗଣି ନୋହିଲା ରୁଣ୍ଡ ମାନବ ମଥା ।

ସବୁ ଆଗେ ସିନା ନୃମଣି ନୃପସମ୍ଭାର ଫେଇ;

ଦୀନ ବୀର ଲାଗି ହୃଦୟୁଁ ସ୍ନେହ ଭକତି ଦେଇ ।

☆☆☆

 

ସ୍ୱର୍ଣ୍ଣାକ୍ଷରେ

 

ବ୍ୟୋମରାଜ୍ୟ ଗ୍ରହ ତାରା ବିଶ୍ୱ ଆବର୍ତ୍ତନେ

ବିତିଲାଣି ସାତଶ ବରଷ,

କେତେ ଗିରି, କେତେ ତୁଙ୍ଗ ପ୍ରସ୍ତର ସଉଧ

ଭାଙ୍ଗିଲାଣି କାଳର ପରଶ ।

କେତେ ତ ଦୁର୍ଲଭ-ନିଧି ହଜିଲାଣି ଭବେ,

କେତେ ସ୍ମୃତି ଗଲାଣି ପାସୋର;

ଗୋଟିଏ ଘଟଣା କିନ୍ତୁ ଶତ ଲକ୍ଷ ହୃଦେ

ସ୍ୱର୍ଣ୍ଣାକ୍ଷରେ ରହିଛି ଭାସ୍ୱର ।

ପଦ୍ମକ୍ଷେତ୍ରେ ଲାଗିଅଛି ମନ୍ଦିର ନିର୍ମାଣ,

ବିଜେ ହେବେ ସଦେହେ ସବିତା;

ଚୂଡ଼ା ତାର ମେଘମାଳା ଛୁଇଁବ ଗରବେ,

ସୌଦାମିନୀ ହେବ ଭାଲେ ଚିତା ।

ବାରଶହ ଶିଳ୍ପୀ, ନିତି ବ୍ୟାପାରିତ କାର୍ଯ୍ୟେ,

ନ ଜାଣନ୍ତି ଆହାର ବିରାମ,

ତିନି କୋଶ ଦେଶ ବ୍ୟାପି ପଡ଼ିଛି ଛାଉଣି,

ଦିବା ନିଶି ଲାଗିଅଛି କାମ ।

ସବୁ ମଧ୍ୟେ ଧ୍ୟାନେ ରତ ବିନ୍ଧାଣିରତନ,

ଗଢ଼ୁଛି ସେ ନବଗ୍ରହ ପାଟ;

ମୁଖଶାଳା ଦ୍ୱାରୁ ଦେବ ଗରିମା ସୂଚାଇ,

ପ୍ରକଟିବ ସୁଷମା ବିରାଟ ।

ସକାଳେ ଆସଇ ଭୁଞ୍ଜି ବାସେ କାରିଗର,

ଦିନସାରା କରଇ ସାଧନା,

ସଞ୍ଜେ ପୁଣି ଫେରି ମୁଖେ ଛୁଏଁ ଅନ୍ନଜଳ,

ପାଷାଣେ ତ ଆଙ୍କୁଛି କଳ୍ପନା ।

ସେ ପାଷାଣୁ ନୟନ ତା ନ ଫେରେ ପଲକେ,

ଧ୍ୟାନ ଶ୍ରମେ ଶୁଖିଯାଏ ପାଟି;

ବାମ କର ପଛେ ମାତ୍ର ଦିଏ ତା ପତାଇ,

ପାନ ଖିଲ ଆପେ ଆଣି ନାତି ।

କେତେ ଖିଲା ଖାଏ ନିତି, ନାହିଁ ତା କଳନା,

ପାନେ ତାର ବଢ଼ଇ ଧିଆନ,

ଦିନୁ ଦିନ ଆାଇ ସେହି ଏକା ମୁଖରୋଚ,

ପିତା ତାକୁ ଲାଗିଲାଣି ପାନ ।

ନଅ ଋତୁ ନବଗ୍ରହେ ଲାଗିଛି ସମୟ,

ନବ ମୂର୍ତ୍ତି ସରିଲାଣି ଗଢ଼ା,

ଦଶମ ଋତୁ ତା ଆସି ପ୍ରବେଶ ବସନ୍ତ,

ନାହିଁ କାମ ସୁଆଁ ସିବା ଛଡ଼ା ।

ବିଗ୍ରହ ଲାଗିଛି ନେତ୍ର, ନପଡ଼େ ପଲକ,

ପାନ ଲାଗି ପାତିଦେଲା କର;

ପଡ଼ନ୍ତେ ଖିଲ ତା ତହିଁ, ଦେଲା ନେଇ ମୁଖେ,

ଆଖି ପତା ହୁଏ ଥରଥର ।

ପରମ ମଧୁର ସ୍ୱାଦ ଲଭିଲା ରସନା,

ବଦନେ ତା ଚହଟିଲା ବାସ;

ରୋମାଞ୍ଚ ହୋଇଲା ତ୍ୱଚା ଅଷ୍ଟାଙ୍ଗ ଶରୀରେ,

ଅଙ୍ଗ ଅଙ୍ଗେ ପୁଲକ ପ୍ରକାଶ ।

‘‘ଏ ନୁହେଁ ତ ଘରେ ଭଙ୍ଗା ନାତିହାତ ପାନ’’,

କାରିଗର ବିଚାରଇ ମନେ,

ଚକିତେ ବୁଲାଇ ମୁହଁ, ପୃଷ୍ଠଦେଶ ତାର

ଉଭା ନୃପ, ଦେଖିଲା ସମ୍ଭ୍ରମେ ।

କାମୁଡ଼ିଦେଲା ସେ ଜିଭ, ହେଲା ନତଜାନୁ,

କ୍ଷମା ଭିକ୍ଷା କଲା ଅବହିତେ,

‘‘ଏ କି ଦୟା ଅଭାଜନେ !’’ କହିବ ଇଚ୍ଛିଲା,

ଇଚ୍ଛା ତାର ରହିଗଲା ଚିତ୍ତେ ।

ଉତ୍କଳ ନୃମଣିବର ବୀର ନରସିଂହ

ଉଠାଇଲେ ତଳୁ କର ଧରି,

କହିଲେ, ‘‘ଧନ୍ୟ ମୁଁ ହେଲି, ରେ ଜଗୁ ବିନ୍ଧାଣି,

ଏ ସାମାନ୍ୟ ସେବା ତୋ ଆଚରି ।

ମୁଁ ସିନା ମନୁଷ୍ୟ କୂଳେ ହୋଇଛି ନୃପତି,

ଲଭି ହେଳେ ପିତୃଦତ୍ତ ରାଜ୍ୟ;

ତୁହି ତ ସ୍ୱଗୁଣେ ବଡ଼ କାରିଗରେ ରଜା,

ତେଣୁ ପୂଜ୍ୟ, ରେ ନମସ୍ୟ ଆର୍ଯ୍ୟ !’’

ସେଦିନୁ ଏ ଗ୍ରହତାରା ବିଶ୍ୱ ଆବର୍ତ୍ତନେ

ବିତିଲାଣି ସାତଶ ବରଷ;

କେତେ ଗିରି, କେତେ ତୁଙ୍ଗ ପ୍ରସ୍ତର ସଉଧ

ଭାଙ୍ଗିଲାଣି କାଳର ପରଶ ।

କେତେ ତ ଦୁର୍ଲଭ ନିଧି ହଜିଲାଣି ଭବେ,

କେତେ ସ୍ମୃତି ଗଲାଣି ପାସୋର;

ଅଘଟନ ଏ ଘଟଣା ଶତ ଲକ୍ଷ ହୃଦେ,

ସ୍ୱର୍ଣ୍ଣାକ୍ଷରେ ରହିଛି ଭାସ୍ୱର ।

☆☆☆

 

ରାଜାଙ୍କ ମାଂସ ଦାନ

 

ବହୁଶତ ବର୍ଷ ପୂର୍ବେ ଏ ପୁଣ୍ୟ ଭାରତେ,

ଯଦୁପତି ଉଶୀନର ପ୍ରଖ୍ୟାତ ଜଗତେ ।

ଧରି ରାଜଦଣ୍ଡ କରେ କରନ୍ତି ଶାସନ,

ବହି ସ୍ନେହ ପ୍ରଜାଗଣେ ପୁତ୍ର କନ୍ୟା ସମ ।

ନ୍ୟାୟେ ସ୍ୱୟଂ ବୃହସ୍ପତ୍ତି ନୃପ ଶିରୋମଣି,

ଦୟାର ସାକ୍ଷାତ ମୂର୍ତ୍ତି, ବୀରତ୍ୱେ ଅଶନି ।

ଧର୍ମରକ୍ଷା ଲାଗି ଦିନେ ଉଶୀନର ରାଜ୍ୟେ,

ଅମାତ୍ୟ ଅମଲା ସହ ଲିପ୍ତ ରାଜକାର୍ଯ୍ୟେ;

ଆସିଲା ସହସା ଶୂନ୍ୟୁଁ କପୋତ ସେକାଳେ,

କହିଲା,‘‘ଶ୍ରୀପଦେ ଦିଅ ଶରଣ ଏ ଛାରେ;

ପଛେ ଗୋଡ଼ାଇଛି ଶ୍ୟେନ, ଆସିବ ଏକ୍ଷଣି,

ମାରି ପ୍ରାଣେ ହତଭାଗ୍ୟେ ଖାଇବ, ନୃମଣି ।’’

ନସରୁଁ ମୁଖୁ ତା କଥା, ଆସିଲା ସଞ୍ଚାଣ;

କହିଲା, ‘‘ମୋ ଖାଦ୍ୟ ମୋତେ ଦିଅ ନରରାଣ !

କରେ ମୁହିଁ ପକ୍ଷୀ ରାଜ୍ୟେ ରାଜତ୍ୱ ଗଗନେ,

ଯେବେ ଯାକୁ ପାଏ, ଖାଏ ବୁଭୁକ୍ଷା ମେଣ୍ଟନେ ।

ହସ୍ତକ୍ଷେପ ମୋ ଶାସନେ ନକର, ରାଜନ,

ଛାଡ଼ିଦିଅ କପୋତକୁ, ଯାଏ ମୁଁ ବହନ ।’’

ଶୁଣି ଶ୍ୟେନ ଯୁକ୍ତି, ସିନା ହୋଇଲେ କାତର,

ତେଜ କି ଆଶ୍ରିତେ ଦେବେ ନୃପ ଉଶୀନର ?

କହିଲେ, ‘‘ସଞ୍ଚାଣ, କ୍ଷୁଧା ମେଣ୍ଟାଇବ ସିନା;

କ୍ଷୁଧାଗ୍ନି କି ନ ଶମିବ ଏ କପୋତ ବିନା ?

ପ୍ରଚୁର ମାଂସ ମୁଁ ତ୍ୱରା ଦେଉଅଛି ଆଣି,

ବଞ୍ଚାଅ ଆଜି ହେ ପ୍ରାଣେ ଏ ନିରୀହ ପ୍ରାଣୀ ।’’

ଶୁଣି ତା ସଞ୍ଚାଣ ବେଗେ କହେ ଯୁକ୍ତି ଛଳେ,

‘‘ଦୟାବନ୍ତ ବାନା କିପାଁ ଉଡ଼ାଅ ଭୂତଳେ ?

ଏକ ଜୀବେ ବଞ୍ଚାଇବ, ଅନ୍ୟ ଜରବ ମାରି;

କି ପୂଣ୍ୟ ଅର୍ଜିବ ବୋଲ ଏ କପୋତ ତାରି ?

ବହିଛ ରାଜସ ଗୁଣ, ରାଜନ ଅନ୍ତରେ,

ତହୁଁ ଯାଚ ଆନ ମାଂସ କପୋତ ବଦଳେ ।’’

ରାଜସୁଁ ସାତ୍ତ୍ୱିକ ଗୁଣେ ବଡ଼ ଯଦୁପତି,

କହିଲେ, ‘‘ସଞ୍ଚାଣ, ଆଉ ନୁହଁ ରୁଷ୍ଟମତି ।

ମାପି ତୁଳାଯନ୍ତ୍ରେ ଦେବି ମୋ ଦେହୁ ପିଶିତ,

କପୋତର ବିନିମୟେ ଘେନ, ବୁଭୁକ୍ଷିତ !

ତଉଲେ ଓଜନ ଯେତେ, ଦେବି ମୁହିଁ ତୁଳି

ଅଣାଉଛ ତୁଳାଯନ୍ତ୍ର, ସୁଶାଣିତ ଛୁରୀ ।’’

ତୁଳାଦଣ୍ଡ ଏକପାର୍ଶ୍ୱେ କପୋତ ବସାଇ,

ନିଜ ଦେହୁଁ ମାଂସ ଖଣ୍ଡ କାଟି ନରସାଇଁ ।

ଥାପି ଅନ୍ୟ ପାର୍ଶ୍ୱେ ତାକୁ, ଧରନ୍ତେ ସେ ଦଣ୍ଡ,

ହୋଇଲା କପୋତ ଭାରି, ଲଘୁ ମାଂସଖଣ୍ଡ ।

କାଟିଲେ ନୃପତି ତ୍ୱରା ଆଉ ଖଣ୍ଡେ ମାଂସ,

ରକ୍ତ ନଦୀ ବହେ ସିନା, ଭାରି ଅନ୍ୟପାର୍ଶ୍ୱ ।

ପଡ଼ିଗଲା ରାଜସଭା ମଧ୍ୟେ ହାହାକାର,

ନ ଶୁଣିଲେ ନୃପ କିଛି ନ କଲେ ବିଚାର;

ତୁଳାଯନ୍ତ୍ରେ ବସିଗଲେ ସ୍ୱମାଂସ ସହିତ,

କ୍ଷୁଧାର୍ତ୍ତ ସଞ୍ଚାଣ ଦେଖି ଅତି ଆଚମ୍ୱିତ ।

ଉଶୀନରେ କରିବାକୁ ପ୍ରତ୍ୟକ୍ଷ ପରୀକ୍ଷା,

ଇନ୍ଦ୍ର, ଅଗ୍ନି ବହିଥିଲେ ଏହି କୂଟ ଦୀକ୍ଷା ।

ସେ ପରୀକ୍ଷା କ୍ଷେତ୍ରେ ଇନ୍ଦ୍ର ହେଲେ ପରାଭୂତ,

ଲଭିଲେ ବିଜୟ ଠିକେ ଯଦୁକୂଳ ସୁତ ।

ରାଜସଭା ଶିରେ ଇନ୍ଦ୍ର କରି ପୁଷ୍ପବୃଷ୍ଟି,

କହିଲେ,‘‘ରାଜନ, ଆଜି ଧନ୍ୟ ହେଲା ସୃଷ୍ଟି ।

ଜୀବେ ଏତେ ଦୟା ଆହା ବହିଛ ହୃଦୟେ !

ପରପ୍ରାଣ ରଖୁଅଛି ନିଜ ବିନିମୟେ ।’’

☆☆☆

 

କାଶିଆ କପିଳା ଭେଟ

 

ସୂର୍ଯ୍ୟ ବଂଶେ ତାର ଜନ୍ମ ସିନା ନାମେ

ବଂଶ-ଗାରିମା ସେ ରଖିଲା ନାହିଁ ?

ଦରିଦ୍ର ପୁଅ ତ ଅଟଇ କପିଳା

ପର ଗୃହେ ଭୃତ୍ୟ ହୋଇଛି ଯାଇ ।

ଗୋଗୋଷ୍ଠ ଚରାଇ ନିଏ ନିତି ପ୍ରାତେ,

ସନ୍ଧ୍ୟାଗମେ ପୁଣି ଫେରଇ ବାସେ;

କେତେ ଦୁଃଖ ପାଏ, ମନୁଷ୍ୟ ଜନମେ

ସତେ ସେ ଅତଳ ସାଗରେ ଭାସେ ।

ଏକମାତ୍ର ଅଛି ମୁନିବ ତନୟ

କାଶିଆ ସମାନ ବୟସ ତାର;

ଗୋଗୋଷ୍ଠ ଘେନି ତା ଚାଲନ୍ତେ କପିଳା,

ଘରେ ରହିବାକୁ ମଣଇ ଭାର ।

କାଶିଆ କପିଳା ବିଲ ପଦା ବନେ

ଗୋଗୋଷ୍ଠ ଚରାଇ ବୁଲନ୍ତି ଦୁହେଁ,

ଥରୁଥରୁ ଦେହେ ପୁଷ ମାସ ଶୀତେ

ଜ୍ୟେଷ୍ଠ ଖରା ତାପେ ଶୁଖିଲା ଦୁହେଁ ।

ବନ ବୁଦା କୋଳି ତୋଳି ଏକୁ ଆନ

ଖୁଆଖୋଇ ମୁଖେ ହୁଅନ୍ତି ବେନି;

ଡାଳପୁଅ ଖେଳେ କାଟନ୍ତି ଦିବସ,

ଏକ ଆନ ଦୁଃଖ ହରଷେ ଘେନି ।

ଦିନେ ଖରାବେଳେ ବିଶ୍ରାନ୍ତ କପିଳା

ନିଦେ ଶୋଇଗଲା ପଡ଼ିଆ ଘାସେ;

କାଶିଆ ଜଗିଛି ଗୋଗୋଷ୍ଠ ଏକାକୀ

ସାଥୀ ତା ନିଶ୍ଚିନ୍ତେ ନିଦ୍ରିତ ପାଶେ ।

ସଘନେ ମାରଇ ଘୁଙ୍ଗୁଡ଼ି କପିଳା,

କାଶିଆ ଶ୍ରବଣେ ପଶଇ ଧ୍ୱନି;

କି ଭାବିଲା, ବୁଲି ଚାହିଁଲା କାଶିଆ,

ଦେଖି ପାଟି ମାରିଗଲା ତା ଖନି ।

ସାଥୀର ତା ପ୍ରାଣ ଚାଲିଯିବ ସତେ,

ଜଳଜଳ ବସିଥିବ ସେ ଚାହିଁ;

ଉଚ୍ଚେ ପାଟି ଫେଇ ଡାକି ବା ଦିଅନ୍ତା,

ତେବେ, କଣ ତିଳେ ମିଳିବ ତ୍ରାହି ?

ପାଞ୍ଚ ହାତ ଲମ୍ୱ କୋଳଥିଆ ନାଗ

ମୁଣ୍ଡପାଖେ ଅଛି ବିସ୍ତାରି ଫଣା;

ବୁଦ୍ଧି ତା ନ ସ୍ଫୁରେ, ନ ଦିଶଇ ବାଟ,

ଆଖି ଥାଇ ହୋଇଯାଏ ସେ କଣା ।

‘ଜଗନ୍ନାଥେ, ରଖ,’       ରଟଇ ସେ ମୁଖେ;

ସାହା ଜଗନ୍ନାଥେ ହୋଇଲେ ସତେ,

ଫଣା ନୋଇଁ ନାଗ ହୋଇଲା ଅନ୍ତର,

ତଥାପି କାଶିଆ ନ ଯାଏ ପ୍ରତେ ।

କେତେବେଳେ କାଶୀ ଉଠିଲା ସଂମୋହୁ;

ଛାନିଆ ତ ତାର ଯାଇଛି ଭାଜି,

କପିଳାକୁ ନିଦୁଁ ଉଠାଇ କହିଲା,

ଗୋଟିକ ଗୋଟି ସେ ଘଟଣାରାଜି ।

କହି ସାରି ଶେଷେ ହୃସି ଯୋଡ଼ିଲା ସେ,

‘‘ତୁ ତ, ଭାଇ, ନିଶ୍ଚେ ହୋଇବୁ ରଜା;

ମୋତେ ଯେବେ ମନ୍ତ୍ରୀ ପଦେ ନ ରଖିବୁ,

ନ ପାଇବୁ ରାଜଗାଦିର ମଜା ।’’

ଶୁଣି ଉତ୍ତରିଲା କପିଳା ତକ୍ଷଣେ

ସତେ ରଜା ସେହୁ ହୋଇଲା ପରି,

‘‘ଏ କି ଛାର କଥା ! ଜାଣିରଖ ତୋତେ

ଆଜି ମନ୍ତ୍ରୀ ପଦେ ନେଲି ମୁଁ ବରି ।’’

ସେଦିନ ସାୟାହ୍ନେ ନିତି ଦିନ ପ୍ରାୟେ

ଗୋଗୋଷ୍ଠ ଓଡ଼ାଇ ଫେରିଲେ ବାସେ

ରାଜା ମନ୍ତ୍ରୀ ବେନି; ଦିନ ବିତିଗଲା

ସପ୍ତାହରୁ ପକ୍ଷ, ପକ୍ଷରୁ ମାସେ ।

ଗଙ୍ଗବଂଶ ନୃପ ଯାଇଥିଲେ ଦିନେ

ପ୍ରଭୁ ଜଗନ୍ନାଥ ଦର୍ଶନ ଲାଗି;

ଅପୁତ୍ରକ ସେ ତ କୁଳରକ୍ଷାପାଇଁ

ପ୍ରଣମିଲେ ପୁତ୍ରସନ୍ତାନ ମାଗି ।

ଉଠନ୍ତେ ଦେଖିଲେ, ହସହସ ମୁଖେ

ପାଶେ ଉଭା ତହିଁ ବାଳକ କାହୁଁ;

ଚିତ୍ତେ ବିଚାରିଲେ, ‘‘ଗୁହାରି ଘେନି ମୋ

ୟାକୁ ସେତେ ଦେଲେ ଏ ମହାବାହୁ ।’’

ପୁଚ୍ଛିଲେ ନାମ ତା କୁଳ ଗୋତ୍ର ଆଦି

ନିଃଶଙ୍କେ କପିଳା କହିଲା ସବୁ,

ନିଜ ପାଶେ ତାକୁ ରାଜଯାନେ ଘେନି

ଫେରିଲା ନବରେ ଉତ୍କଳପ୍ରଭୁ ।

କାଶିଆ ଭବିଷ୍ୟ ବାଣୀ ହେଲା ସତ

କପିଳା ଉତ୍କଳେ ହୋଇଲା ରଜା;

କପିଳେନ୍ଦ୍ର ଦେବ ନାମ ପ୍ରକଟିଲା,

ପ୍ରସନ୍ନ ହୋଇଲେ ପାଇକ ପ୍ରଜା ।

ଏଣେ ଏତେ ଦିନ ସାଥୀର ବିଚ୍ଛେଦେ

କାଶିଆର ନାହିଁ ବୁଝଇ ପେଟ;

କେତେ ତ ଭାଳିଛି, ନୈରାଶ୍ୟେ କହିଲା,

ଆଉ କି କାଶିଆ କପିଳା ଭେଟ ?’’

ତଥାପି ସେ ରାଜ- ସଭାମଧ୍ୟେ ଯାଇ

କି ସାହସେ ଉଭା ହୋଇଲା କ୍ଷଣେ;

ଦେଖି କପିଳେନ୍ଦ୍ର ଚିହ୍ନିଲେ ତୁରିତେ;

ପୂର୍ବ କଥାଯାକ ପଡ଼ିଲା ମନେ ।

ମନ୍ତ୍ରୀପଦେ କାଶୀ ବସିଲା ସେଦିନ;

ବନ୍ଧା ହେଲା ଦେଉଳେ ନେତ,

ତଥାପି କଥାରେ କହୁଛନ୍ତି ଲୋକେ,

‘‘ଆଉ କି କାଶିଆ କପିଳା ଭେଟ ?’’

☆☆☆

 

ଆହା ମୋର ଗଣ୍ଠିଧନ !

 

ଯାଇଅଛି ଚାଲି ତେଜି ଏ ମର୍ତ୍ତ୍ୟ କାଶିଆ,

ସ୍ୱର୍ଗେ ତ ନ ଥିବ ଯାଇ ଦରିଦ୍ର ମୂଲିଆ ।

ମୁଣ୍ଡ ଝାଳ ତୁଣ୍ଡେ ମାରି ଖଟେ ନିତି ସେହୁ,

ସେଲାଗି ଆତ୍ମା ତା ଥିଲା ନ ପଳାଇ ଦେହୁଁ ।

ରୋଗେ ପଡ଼ି ନ କାଢ଼ିଲା ଗୋଡ଼ କେତେ ଦିନ,

ପଥି ବିନା କାୟା ତାର କ୍ରମେ ହେଲା କ୍ଷୀଣ ।

ଘରୁ କାହାରିବ କେହ୍ନେ ତା ଭାରିଯା-ପିଲା ,

ଭଲ ଘର ବୋହୂ ପରା ହେଲେହେଁ ନଥିଲା ।

ଦ୍ୱିତୀୟେ, ଗରଭେ ଯେଣୁ ଧରିଛି ସନ୍ତାନ,

ତା ନିଜ ଭାରା ତ ତାକୁ ହେଉଅଛି ଟାଣ ।

ନିଶା ଗର୍ଭୁଁ ଜନ୍ମି ଶିଶୁ କାନ୍ଦେ କୁଆଁ କୁଆଁ;

କାଶିଆ ଶ୍ରବଣେ ଗୀତି ସୃଷ୍ଟି କରେ ନୂଆ ।

ହରଷେ ଖେଳିଲା କ୍ଷଣେ ହସ ତା ଲପନେ,

ଶୋଇବାର ଆଗୁଁ ସେହୁ ଅନନ୍ତ ଶୟନେ ।

ମର୍ତ୍ତ୍ୟ ଲୀଳା ସରିଗଲା ସେ ମୁହୂର୍ତ୍ତେ ତାର,

ନିଶା ମୁଣ୍ଡେ ପଡ଼ିଲା କି ବିଧାତା ପ୍ରହାର !

ଅଜ୍ଞାନ ଶିଶୁରେ ଚୁମ୍ୱି କହିଲା ସେ କାନ୍ଦି,

‘‘ଧନ ତୁ, ରଖିଲୁ ମୋତେ ଏ ମରତେ ବାନ୍ଧି ।

ନୋହିଲେ ମୁଁ ଆଶ୍ରିଥାନ୍ତି ଚିତା ପତିସହ,

ନ ଧରି ମୁହୂର୍ତ୍ତେ ଆଉ ଏ ଜୀବ ଦୁର୍ବହ ।‘‘

ଲୁଚିଗଲା କାଶିଆର ସତ୍ତା ଚିତ୍ତାନଳେ,

ଅପତ୍ୟ ଲାଳନେ ନିଶା ବ୍ୟସ୍ତ ମହୀତଳେ ।

ପର ଦ୍ୱାରେ ଖଟି ଦିନ ଅର୍ଜେ ଯା ଅଳପ,

ତହିଁ ତା ଆହରେ ଭୋଜ୍ୟ, ବିରତେ ତଳପ ।

ବିଧି ଯେ ଖଞ୍ଜିଛି ମର୍ତ୍ତ୍ୟେ ବିବାହ-ସୁମନ,

ସନ୍ତାନ ତା ପୁଣ୍ୟଫଳ ଲଭଇ ଭୁବନ ।

ତା ଯୋଗେ ସମ୍ଭବେ ଭବେ ଯୁଗ ପରମ୍ପରା ,

ନ ପାରେ ପରଶି ବିଶ୍ୱେ କ୍ରୂର ମୃତ୍ୟୁ ଜରା ।

ଶିଶୁରୁ ମାନବ ଗଢ଼ି ପାଳେ ସ୍ନେହେ ପ୍ରାଣୀ;

ନ ବୁଝିପାରଇ ମୂର୍ଖ, ବୁଝୁଥିବେ ଜ୍ଞାନୀ ।

ଖଟି ଦିନେ ଦିନସାରା ଫେରେ ନିଶା ତରେ,

କୋଳର ଶିଶୁ ତା ଭୋକେ କାନ୍ଦୁଥିବ ଘରେ ।

ସେ ଗଲେ ତ ମୁର୍ଖେ ତାର ବସି ଦେବ ସ୍ତନ,

ଶୁଖିଲା ଅଧରେ ଥରେ ଚୁମ୍ୱିବ ବହନ ।

ବାଟେ ଯାଉଥିଲା ଗର୍ବେ କା ମୋଟର ଗାଡ଼ି,

ବେଗ କି କମେ ତା ? ଗଲା ନିଶା-ଅଙ୍ଗେ ମାଡ଼ି ।

‘ଆହା ମୋର ଗଣ୍ଠିଧନ !’ ଚାରି ପଦ କଥା,

କହିଛି ସେ, ଘୋଟିଗଲା ଚିର ନିରବତା ।

ଶବ ତା ଓଟାରି ନେଲେ ପୁର ମେହେନ୍ତରେ,

କେ ଜାଣେ, ଶିଶୁଟି କିସ କରିଥିବ ଘରେ !

☆☆☆

 

ପଦରଜ ମାତ୍ର

 

ପୌଷ ଶୀତେ ଜଡ଼ୀଭୂତ ସରସୀ ତଡ଼ାଗେ

ପଦ୍ମଲତା ହୋଇଅଛ ଜୂର,

ବନେ ଉପବନେ ଫୁଲ ସାରା ଧରାପୃଷ୍ଠେ

ତରୁଡାଳେ ନଦିଶେ ପ୍ରଚୁର ।

ସେ ଲାଗି ଫୁଲର ମୂଲ୍ୟ ଲଭିଅଛି ବୃଦ୍ଧି,

‘‘ଫୁଲ ଫୁଲ’ ଶୁଭେ ଶତ ମୁଖେ;

ସ୍ୱଳ୍ପ ଫୁଲେ ବହୁ ଅର୍ଥ ଅର୍ଜି ମାଳାକାରେ

ଶୀତଋତୁ ଯାପୁଛନ୍ତି ସୁଖେ ।

କେ ଦିନ ଶ୍ରମିକ ବାଡ଼ି ବାମ୍ଫୀ ଅଳ୍ପ ଜଳେ

ଅଚାନକେ ଫୁଟିଲା କମଳ;

ବହୁ ମୂଲ୍ୟେ ବିକି ତାକୁ କିଣିବ ସେ ଅନ୍ନ,

ସୁପ୍ରସନ୍ନ ଶ୍ରମିକ ଅନ୍ତର ।

ତୋଳି ପଦ୍ମକଳି ଗଲା ଶ୍ରମିକ ନଗରେ,

କରେ ନିଧି ଧରିଛି ଯତନେ;

ଦେଖି କେ ବଣିକ ପୁଚ୍ଛେ,‘‘ବିକିବୁ ତ ଫୁଲ ?

କେତେ ମୂଲ୍ୟ ବତାଅ ବହନେ ।

‘‘ମାଣବସା ଗୁରୁବାର ଆଜି ତ ଜାଣିଛୁ

ଲକ୍ଷ୍ମୀପାଦେ ଚଢ଼ାଇବି ଫୁଲ;

‘‘ପଦ୍ମାଳୟା ନାମ ହେବ ସାର୍ଥକ; ବଢ଼ାଅ,

ମନ ତୋଷି ଦେବି ମୁହିଁ ମୂଲ ।’’

‘ଦରିଦ୍ର ମୂଲିଆ ମୁହିଁ ମରେ ଅନ୍ନ ବିନା’’,

ହୃଷ୍ଟ ଚିତ୍ତେ ଉତ୍ତରେ ଶ୍ରମିକ;

‘‘ଟଙ୍କାଟିଏ ପାଇଗଲେ, ବଢ଼ାଇବି ଫୁଲ,

ପେଟ ବୁଝି ଦିଅ ମୂଲଟିକ ।’’

ଟଙ୍କା ଆଣି ଦେବାପାଇଁ ଧରିଛି ବଣିକ,

ଶ୍ରମିକ ତା ପତାଉଛି ହାତ;

ଗଳି ବାଙ୍କୁ ବାହାରିଲା ମହା ଶୋଭାଯାତ୍ରା,

ଲୋକାରଣ୍ୟେ ପୂରିଅଛି ବାଟ ।

ନୃମଣି ପ୍ରତାପରୁଦ୍ର ଚାଲିଛନ୍ତି ପାଦେ

ଶ୍ରୀଚୈତନ୍ୟଦେବେ ଭେଟିବାକୁ;

କୀର୍ତ୍ତନେ ମୃଦଙ୍ଗ ବାଦ୍ୟେ କମ୍ପେ ନୀଳାଚଳ,

କାହା କଥା ନଶୁଭେ କାହାକୁ ।

ଫୁଲ କିଣାବିକା ଗଲା ଥକି ସେ କାରଣେ;

ନରମଣି ଉପଗତ ପାଶେ,

ଅକାଳ କମଳ ଦେଖି, ତୋଷେ ପଚାରିଲେ;

‘‘ଆଣିଛ କି ବିକିବା ସକାଶେ ?

ଉତ୍ତରେ ଶ୍ରମିକ କହେ,‘‘ଏହି ମହାଜନ

ଟଙ୍କାଟିଏ କରିଛନ୍ତି ମୂଲ’’

ଭାଷନ୍ତି ନୃପତି,‘‘ ଏକ ସୁବର୍ଣ୍ଣ ମୋହର

ଦେଇ, ମୁହିଁ ନେବି ଏହି ଫୁଲ ।

‘‘ମହାପ୍ରଭୁ ଚୈତନ୍ୟ ଯେ ହୋଇଛନ୍ତି ବିଜେ,

ତାଙ୍କ ଯୋଗ୍ୟ ସୁମନ ଏ ସିନା,

ଦେଖି ଏହା ପଥେ, ତାଙ୍କ ଶ୍ରୀଚରଣତଳେ

କେମନ୍ତେ ମୁଁ ଯିବି ଫୁଲ ବିନା ?’’

ବଣିକ ବିଚାରେ, ପଦ୍ମ ଛାଡ଼ିଦେଲେ ହାତୁଁ,

ପଦ୍ମାଳୟା ହୋଇବେ ବିମୁଖ;

ଭଣ୍ଡାରୁ ତା ଧନରତ୍ନ ଯିବ ତ ଉଭାଇ,

ଦେଇ ତାକୁ ଦରିଦ୍ରତା ଦୁଃଖ ।

ଯାଚଇ ତହୁଁ ସେ ତ୍ୱରା ଦୁଇ ସ୍ୱର୍ଣ୍ଣ ମୁଦ୍ରା,

ଶ୍ରମିକ ତା ବଢ଼ାଇଲା କର ;

ପଞ୍ଚ ସ୍ୱର୍ଣ୍ଣ ମୁଦ୍ରା ନୃପ କାଢ଼ିଲେ ତୁରିତେ.

ଆଚମ୍ୱିତ ଶ୍ରମିକ ଅନ୍ତର ।

କହିଲା ସେ, ‘‘ହେ ମଣିମା, ନୁହଇ ମୁଁ ମାଳୀ,

ଫୁଲ ବିକା ନୁହେଁ ମୋ ବ୍ୟବସା;

ଦେଖୁଛି ଅମୂଲ୍ୟ ମୋର ଏ ପଦ୍ମ ଫୁଲଟି,

ପାଇବି କି ବିକି ମୁଁ ପ୍ରଶଂସା ?’’

ବିନା ପଦ୍ମେ ପଦ୍ମାଳୟା ଅର୍ଚ୍ଚିଲା ବଣିକ,

ନରମଣି ଗଲେ ଖାଲି ହାତେ,

ଗମିଲା ସେ ସୁପ୍ରସନ୍ନ ଦରିଦ୍ର ଶ୍ରମିକ

ରାଜଥାଟ ପଛେ ଚାଲି ବାଟେ ।

ମନେ ଭାବେ,‘‘ଏ ସନ୍ନ୍ୟାସୀ ଲକ୍ଷ୍ମୀଠାରୁ ବଡ଼;

ଲକ୍ଷ୍ମୀଛଡ଼ା ହୋଇଛିତ ମୁହିଁ,

ଦେଖିବି ଭାଗ୍ୟେ କି ଫଳେ, ଦେଲେ ପଦ୍ମ ଭେଟି ।

ସନ୍ନ୍ୟାସୀଙ୍କ ଶ୍ରୀପୟର ଛୁଇଁ ।’’

ଶତ ନତ ଭକ୍ତ ମେଳେ ଆସୀନ ଚୈତନ୍ୟ

ଭକ୍ତିମାର୍ଗ କରନ୍ତି ପ୍ରଚାର;

ବିହ୍ୱଳେ କେ ଲୋଟେ ତଳେ, କେ କରେ କୀର୍ତ୍ତନ,

କାହା ନେତ୍ରୁ ଝରେ ଅଶ୍ରୁଧାର ।

ଦରିଦ୍ର ଶ୍ରମିକ ଦେଖି କି ଅବା ବୁଝିଲା,

ହୋଇଗଲା ପ୍ରେମେ ଅଭିଭୂତ;

ରକ୍ତ ମାଂସ ଘଟେ ତାର ସେ ଦିବ୍ୟ ମୁହୂର୍ତ୍ତେ

ଭାବାନ୍ତର ଖେଳିଗଲା ଦ୍ରୁତ ।

ଉତ୍କଳ-ନୃମଣି ପାଶେ ବସିଛନ୍ତି ଯାଇ;

ମଣି ନିଜେ କୃତାର୍ଥ ଦର୍ଶନେ;

ଜନତା-ଗହଳ ଭେଦି ଥାପିଲା ଶ୍ରମିକ

ପଦ୍ମ ଗୋଟି ପ୍ରଭୁଙ୍କ ଚରଣେ ।

ଚାହିଁ ପ୍ରଭୁ ଶ୍ରୀଚୈତନ୍ୟ ପୁଚ୍ଛିଲେ ଝଟତି,

‘‘କହ, ଭାଇ, କି ଲୋଡ଼ା ତୁମର ?’’

‘‘ପଦରଜ ମାତ୍ର ମୁହିଁ ମାଗୁଛି ସମ୍ପଦ,’’

ଅବହେଳେ ଶୁଣିଲେ ଉତ୍ତର ।

☆☆☆

 

ସାନ୍ଧ୍ୟତାରା

 

ପ୍ରତୀଚୀ ଭୂଧର ପଛେ ଲୁଚିଲେ ତପନ,

ସୁନ୍ଦର ପାଟଳେ ଶୋହେ ବାରୁଣୀ ଗଗନ;

ତେବେ ତା ଶାନ୍ତ କପୋଳେ,

ତୁହି, ସାନ୍ଧ୍ୟତାରା, ଏକା ତାରକା ସଂସାରେ ।

ରବି ବୁଡ଼ିଗଲେ, ମର୍ତ୍ତ୍ୟେ, ଘୋଟକ ଅନ୍ଧାର;

ଘୁଞ୍ଚାଉ ତୁ ଢାଳି ଜ୍ୟୋତି ଦୁଃଖ ଦୈନ୍ୟ ତାର;

ତୁହି ଅନ୍ତିମ ଭରସା,

ତୋ ବିନା ଏ ବିଶ୍ୱସାରା ଲଭନ୍ତା କି ଦଶା ?

ଦୀପାୟିତ ନୁହେଁ ଖାଲି ଆକାଶ ତଳପ;

ନିରାଶ ହୃଦୟେ ଆଶା ଜଗାଉ କଳପ,

ରାଜୁ ନିଶାଦେବୀ ଭାଲେ,

ସୀମନ୍ତିନୀ ଶୁଭ ଟୀକା ସରି କି ସମ୍ଭାରେ !

ପ୍ରକୃତି ଉଦ୍ୟାନେ ତୁ କି କମଳ କଳିକା ?

ଅବା କେଉଁ ଦେବତାର ନୟନ ଚନ୍ଦ୍ରିକା ?

କେଉଁ ସୁରନାଗ ମଣି ?

ଅବା କାହା ନେତ୍ର ତ୍ୟକ୍ତ ଅଶ୍ରୁ ବାରି କଣି ?

ଅବା ଦିବା ରାତ୍ରି ଶୁଭ ବିଭା ବେଦୀ ପାଶେ,

ତୁ ଏକ ତ୍ରିଦିବ ଦୀପ ଜଳୁଛୁ ଆକାଶେ ?

କିବା ସୁରାସୁରଗଣ

ସମୁଦ୍ର ମନ୍ଥନୁ ତୋତେ ପାଇଛନ୍ତି ଧନ ?

ଯାହା ତୁ ହେଉ ରେ ସାନ୍ଧ୍ୟତାରା, ଯାହାପ୍ରତି,

ତୁ ତ ମୋର ଏକମାତ୍ର ପରାଣ ସମ୍ପତ୍ତି;

ମୋର ନୀରସ ଜୀବନେ

ତୁ ଏକା ସଞ୍ଚାରୁ ରସ କଣିକା ବିଜନେ ।

ଜୀବନୁ ଲିଭିବ ଯେବେ ମୋ ସୁଖ ଆଲୋକ,

ବ୍ୟଥିତେ ଚାହିଁବି ଶୂନ୍ୟେ ବହି ହୃଦେ ଶୋକ

ତେବେ ଆୟୁ ଶେଷ କ୍ଷଣେ

ତୁହି, ସାନ୍ଧ୍ୟତାରା, ଉଇଁ ପ୍ଳାବିବୁ କିରଣେ ।

☆☆☆

 

‘ଘେନ ଏ ପଟକ’

 

ଅର୍ଦ୍ଧ ନିଶୀଥିନି ନିଶା ଗରଜଇ

ନାହିଁ କାହିଁ ସ୍ୱର ଶବଦ,

ଶୀତଳ ପବନ ବହଇ ହିଲ୍ଲୋଳେ

ନିଖିଳ ନଗରୀ ସ୍ତବଧ ।

ପୁରସାରା କାହା ସଉଧେ ନ ଦିଶେ

ଦୀପାଲୋକ ରେଖା ମୃଦୁଳ,

ପ୍ରତିବାସେ ରୁଦ୍ଧ କବାଟ ନିବିଡ଼େ

ଶୂନ୍ୟ ପଥ ଜନ-ବହୁଳ ।

ସମାଧି ମଗନ ମୁନି ସରି ସତେ

ଆସୀନ ବିପୁଳ ନଗରୀ,

ଘନୀଭୂତ ଘୋର ଅନ୍ଧକାରେ ବିଜେ

ରୂପ ଘେନି ଅମା ଶର୍ବରୀ ।

ଶିଶିର ରଜନୀ ଋତୁ ଅନୁମାନି

ପଡ଼େ ଟପ ଟପ କାକର,

ଏ ଭୀମ ନିଶୀଥେ       କିଏ ବା କାହିଁକି

କଷଣେ ଜାଳିବ ଜାଗର ?

ଚିରା ବାସ ଖଣ୍ଡି ନଅଣ୍ଟ ହୁଅଇ

ଅପଘନ ନାହିଁ ଘୋଡ଼ାଇ,

ଶୀତେ ଥରୁ ଥୁରୁ କମ୍ପଇ ମାଧିଆ

ତଳେ ଅନ୍ଧକାର ଏଡ଼ାଇ ।

ପ୍ରତିଦ୍ୱାରେ କ୍ଷଣେ ଅଟକି ରହେ ସେ

ମୁଣ୍ଡ ଟେକି ଚାହେଁ ପ୍ରାସାଦେ,

ସେ ସିନା ଜାଣଇ ଦୀର୍ଘଶ୍ୱାସ ଫେଇ

କି ବିଚାରି ଚଳେ ବିଷାଦେ ।

ଶୀତ ସତେ ଅବା ନାହିଁ ଯାଏ ଜଣା

ଚିତ୍ତେ ତା ରହିଛି ଦୃଢ଼ତା,

ସ୍ୱର୍ଗ ବସୁନ୍ଧରା ମଣୁଛି ସମାନ,

ନିଜ ଲାଗି ନାହିଁ ମମତା ।

ଚଳିଲା ମାଧିଆ ଦୁଆରୁ ଦୁଆରେ

ଶେଷ ହେଲା ଆସି ନଗର,

କୁଟୀର-କବାଟ- ସନ୍ଧିରେ ଦିଶଇ

ଜଳିବାର ଦୀପ ଉଜ୍ଜଳ ।

ଫାଟ ବାଟେ ଧୀରେ ନିରେଖିଲା ବାରେ

ବସି କେ ପ୍ରଶାନ୍ତ ମୂରତି,

ନିଦ୍ରା ନାହିଁ ନେତ୍ରେ ଗଭୀର ନିଶୀଥେ

ଲେଖନୀ ଚାଳନ୍ତି ଝଟତି ।

ପାଖକେ ଅବଳା ଶୋଇ କେ ରହିଛି

ହାତେ ଝଟକଇ ବଳୟ

ସେ କୁଟୀ ସୁଷମା ସେହି ସତେ ଅବା

ଶୋଭିତ ତା’ ଲାଗି ନିଳୟ ।

ହାତ ଚଳିଗଲେ ଶୁଭେ ଚର ଚର

ହାତ ଥକେ ଯେବେ ସ୍ତବଧ,

ଉଭା ହୋଇ ତହିଁ ରହିଲା ମାଧିଆ

ମୁଖୁଁ ନ ଫିଟଇ ଶବଦ ।

କୁଟୀର ଦୁଆର ଖଡ଼ ଖଡ଼ ଶୁଣି

ଉଠିଲେ ପ୍ରଶାନ୍ତ ମୂରତି,

‘କିଏ ତୁମେ ବୃଦ୍ଧ, ଏ ଶୀତ ନିଶୀଥେ’,

ପୁଚ୍ଛା କଲେ ଫେଇ ତଡ଼ିତ

ମୁଖୁଁ ମାଧିଆର ନ ଫୁଟେ ବଚନ

ନୟନେ ଆକୁଳ ଚାହାଣୀ,

ଯୁବା ହୃଦେ ଦୟା-       ଉଦଧି ଉଛୁଳେ

ଆନ୍ଦୋଳିତ ଦେଖି ତା’ଠାଣି

କୁଟୀରେ ଚଳିଲା ମାନି ସେ ଇଙ୍ଗିତ

ନ ବସିଲା କୁଶ-ଆସନେ,

ଭାଷିଲା ଦଇନେ- ‘‘ମୁଁ ଅଛୁଆଁ ଜନ

ବସିବି ଛୁଇଁ ବା କେସନେ

ତିନି ଓଳି ହେଲା ପୁଅ,ଝିଅ, ଭାର୍ଯ୍ୟା

ରହିଛୁ ସକଳ ଉପାସେ,

ଜର ଯୋଗୁ କାମେ ଯାଇନି ଖଟି ତ,

ଖୁଦ କଣି ନାହିଁ ଆବାସେ

କି ଭାବିଲେ ଯୁବା ଚାହିଁ ଏଣେ ତେଣେ

ତେଜିଲେ ନିବିଡ଼େ ନିଶ୍ୱାସ,

ନ ଦିଶିଲା ବୁଦ୍ଧି ଦୟା ନିରବଧି

କି ଦେବେ ସେ ଜନେ ଆଶ୍ୱାସ

ବାଣୀ ସୁଭାଶିଷ ଲଭିଛନ୍ତି ସିନା

ରମା ସିନା ନିଜ ଘରଣୀ,

ନିଜେ ତ ଦରିଦ୍ର ଦୀନ ଜନ କରେ

ଭରିଦେବେ କିସ ସେ ଗଣି ?

ଆଖି ପିଛୁଳାକେ ନୟନେ ନାଚିଲା

ସୀମାନ୍ତିନୀ ହେମ କଙ୍କଣ,

ଧୀରେ କାଢ଼ି କରେ ଦେଲେ, ମାଧିଆରେ

ଦେହେ ଖେଳିଗଲା କମ୍ପନ ।

ରମଣୀ ରତନ ନିଦ୍ରା ଗଲା ଭାଜି

ନ ରହିଲେ କ୍ଷଣେ ଅଳସ,

ଅନ୍ୟ ପଟ କାତ କାଢ଼ି ନିଜ ହାତୁ

ମାଧିଆରେ ଦେଲେ ରଭସ

ଭାଷିଲେ କୋମଳେ— ‘‘କି ଭାବିବି କାଳେ,

ଅବା ହତଶିରୀ କଳ୍ପନା

ଅନୁମାନି ପତି ପଟେ ମାତ୍ର ଦେଲେ

‘ଘେନ ଏ ପଟକ’ ପ୍ରାର୍ଥନା

ମହାକବି-‘ଭାସ’ ନାଟକ ଲେଖକ

ଦାନ ଘେନି କରେ ସତ୍ୱର,

ରମା ପଦେ ବିହି ବିନୟେ ପ୍ରଣତି

ଚଳିଲା ମାଧିଆ ମୁକର ।

ନିବିଡ଼ ନିଶୀଥେ ଲୁଚିଗଲା କାହିଁ

ମାଧିଆ ଅଛୁଆଁ ଜାତିରେ,

ନ ଲୁଚିଲା କଥା ଦେଶ ଗାଏ ଗାଥା

ସତ୍ୟ ଶୋଭେ ଦିବା ରାତିରେ

 

ପଣ୍ଡିତ ରଘୁ ନାଥ ମିଶ୍ର

☆☆☆

 

ଧନର ଗତି

 

ଚତୁର୍ବେଦଧର ଆଚାର୍ଯ୍ୟ ସାୟଣ

ବିଜ୍ଞାନୀ ପଣ୍ଡିତ ପରା

ଜ୍ଞାନ ଦୀପଜାଳି କରିଲେ ଉଜ୍ଜ୍ୱଳ

ଅନ୍ଧକାରମୟ ଧରା ।

ଅରଜିଲେ ବିଶ୍ୱେ ବିଶାଳ ପୌରୁଷ

ଲଭିଲେ ସାଧନା ସିଦ୍ଧି,

ଲେଖିଲେ ଆଚାର୍ଯ୍ୟ କଳା କଉତୁକେ

‘ସୁଭାଷିତ ସୁଧାନିଧି’ !

ସଂସ୍କୃତ ସାହିତ୍ୟ ଅମୂଲ୍ୟ ମଣି ଯେ

ଧନ୍ୟ ପ୍ରତିପଦ ତାର,

ଦେବୀ ବୀଣାପାଣି ବିପୁଳ ପୂଜାର

ସେ ଏକ ମହା ସମ୍ଭାର ।

ଲେଖିଛନ୍ତି ତହିଁ ଦି ଧାଡ଼ି ସାୟଣ

ଧନୀ ଧନ ବକ୍ଷ କରି,

ମୋ ଭଳି ଦରିଦ୍ର ଦୀନ ହୀନ ଶିରେ

ଅଜାଡ଼ି ନିଖିଳ ଶିରୀ ।

ମୁଁ ଦୀନ ଦୁର୍ଭଗା ହୀନ ହତଭାଗା

ଲାଞ୍ଛନା ଥାପି ଏ ଶିରେ,

କନକ ମେରୁ ମୋ ରହିଛି ମଣିବି

ଅଛି ରତ୍ନ ଧରା ତଳେ ।

ବସୁନ୍ଧରା ଯେତେ ଧରିଛି ବିଭବ

ସେ ନିଖିଳ ସିନା ମୋର,

ଟେକି ଦୁଇ ବାହୁ କେଶରୀ ବିକ୍ରମେ

କରିବି ଗର୍ଜନ ଘୋର ।

ତ୍ୟାଗ ଅବା ଭୋଗ ଦୁଇ ଗତି ସିନା

ଏ ବିନା ତୃତୀୟ ଗତି

ନାହିଁ ଧନ ଭାଗ୍ୟେ ପରଖ ସୁଜନେ

ଏତିକି ତାର ନିୟତି ।

ଅଛି ବୋଲି ପାଖେ ସଞ୍ଚିତ ସମ୍ପଦେ

ଯେହୁ କରେ ଧନ ମାନ,

ସେ କିମ୍ପା ଧନିକ ମୁ କିମ୍ପା ନିର୍ଦ୍ଧନ

ଅଛି ମୋ ମେରୁ କାଞ୍ଚନ ।

ତ୍ୟାଗ ଭୋଗ ଯେହୁ ନ କରେ ଧନରେ

ସତ୍ତା ମାତ୍ରେ ମଣେ ଧନୀ,

ଧିକ୍‌ ତାର ଜ୍ଞାନ ତା ମହତ ମାନ

ତାଙ୍କୁ କି ଧନିକେ ଗଣି !

ହେମ ମହା ମେରୁ ରହିଛି ଉତ୍ତରେ

କୁବେର ଭଣ୍ଡାର ମୋର,

ଧନୀ ଗନ୍ତାଘର ଅଛି ଯେତେ ବିଶ୍ୱେ

ତା ସଙ୍ଗେ ତୁଳନା କା’ର ?

ବୃଥା ଗର୍ବ ନାହିଁ କର ଧନବନ୍ତ

ଫୁଲାଇ ନ ଚାଲ ଛାତି,

ମେରୁ ସହ ସମ ହେବ କି ସୋରିଷ

ତୁଳନାରେ ଦେଲେ ପାତି ।

ତ୍ୟାଗ ଭୋଗେ ଅବା ସରି ଯାଇପାରେ

ଧନୀର ଅତୁଳ ଶିରୀ,

ହେମ ମେରୁ ସ୍ୱର୍ଣ୍ଣ କେତେ ବା ସରିବ

ନେଲେ ଯୁଗ ଯୁଗ ଧରି !

ଧନି, ତେଜ ଧନ ଭୋଗରେ ଲଗାଅ

ସମ୍ପାଦି ନ ରଖ ତିଳେ,

ଭଣନ୍ତି ପ୍ରବୀଣ ଆଚାର୍ଯ୍ୟ ସାୟଣ

ଜ୍ଞାନ ଲବ୍‌ଧି ବୁଦ୍ଧି ବଳେ,

ପଣ୍ଡିତ ରଘୁନାଥ ମିଶ୍ର

‘ତ୍ୟାଗଂ ଭୋଗଂ ଚ ବିନା ସତ୍ତାମାତ୍ରେଣ ଯଦି ଧନିନଃ

ବୟମପି କିମପି ନ ଧନିନଃ ? ତିଷ୍ଠତି ନଃ କାଞ୍ଚନୋ ମେରୁଃ ।’

‘ସୁଭାଷିତ ସୁଧାନିଧି’—ସାୟଣାଚାର୍ଯ୍ୟ

☆☆☆

 

ବଡ଼ ଠାକୁର

 

ସତ ତୁମେ ଜଗତ-ଠାକୁର ?

ନୀଳଚକ୍ରେ ବାନା ଫର ଫର,

ଭକତେ ଅଭୟ ଦେଇ ମେଲି ଚଉବାହା

ଅଗତିର ଗତି ତୁମେ, ଅନାଥର ନାଥ, ନିରାଶ୍ରୟ ସାହା,

ଫେଇ ଚକାଡ଼ୋଳା,

ଦେଖ ଭବ-ମେଳା,

ବୋଲାଅ ଜଗତେ ତୁମେ ବାଞ୍ଛା-କଳ୍ପବଟ

ଦେଖନି ? ଭକତ      ହୁଏ କେତେ ଛଟପଟ ।

ଶବର ସେ କିବା ପୂଜା ଜାଣେ,

ଦେଖିଲା ସେ ନେତ୍ରେ ପ୍ରତିଦିନେ

କି ଜାଣିଲା ଇନ୍ଦ୍ରଦ୍ୟୁମ୍ନ, କି ଦେଖିଲା ବିପ୍ର ବିଦ୍ୟାପତି,

କି ଶୁଣିଲା ସେ ଗାଲମାଧବ କି କଳିଲା ଅବା ତାର ମତି

ହୃଦେ ନିହି ପ୍ରେମ

ଧାୟି ଧରା କ୍ଷେମ

ତୋଳିଲା ଉତ୍ତୁଙ୍ଗେ ଚୂଡ଼ା ଭୀମ ନରପତି

ପ୍ରେମପୂର୍ଣ୍ଣ ଚିତ୍ତେ ରୁଦ୍ର ରଚିଲା ଆରତି ।

ଜ୍ଞାନ ଦୀପ ମହିମା ଭାସ୍କର

ଜଗତ୍‌ଗୁରୁ ବାଳକ ଶଙ୍କର

ବସି ତୁମେ ପିଠେ, ଗରଜିଲା ବେଦାନ୍ତ କୀରତି;

ବଖାଣିଲା ତତ୍ତ୍ୱ ରାମାନୁଜ; ମାଧ୍ୱ କଲା ପ୍ରଚାର ପୀରତି;

ଖୋଳ କରତାଳେ,

ମହାମନ୍ତ୍ର ଭୋଳେ

ନାଚିଲା ନିମାଇ ନିଜେ, ନଚାଇଲା ଜନେ,

ଯୁଗେ ଯୁଗେ କଳ୍ପତରୁ ଚଉବାହା ତୁମେ ।

ଜଳ ଜଳ ନିରେଖେ ଶ୍ରୀପଦେ

ଛଳ ଛଳ କେବା ଅବସାଦେ

କଳ କଳ ଫୁଟେ କଣ୍ଠୁ କାର ସ୍ତୁତି ଗାନ

ରୁଦ୍ଧଶ୍ୱାସ କାର ଅବା, ଆନ୍ଦୋଳିତ କେହୁ, ମୁଖ କାର ମ୍ଳାନ

ଭାଷା ନାହିଁ ଫୁଟେ

ନିଶବଦେ ସ୍ତବ ଛୁଟେ

ପାଏ କି ପୁଲକ ଭକ୍ତ ଉଜ୍ଜ୍ୱଳ ନୟନ

‘ସତ ତୁମେ’ ? —ଚିତ୍ତେ କାର ଉଠେନି ପ୍ରଶନ ।

ଜାଳି ଦୀପ ଅନ୍ତରେ ବାହାରେ

ଖୋଜେ ନିତି ସତେ ମୁଁ କାହାରେ

ସେ କି ସତେ କଳ୍ପ ବଟ, କଳପ-ଲତିକା

କା’ ପାଇଁ ଗୁନ୍ଥଇ ବସି ଏ ମନ ଯୂଥିକା

ବାଞ୍ଛା କଳ୍ପତରୁ

ମୋ କଳ୍ପନା ପୂରୁ

ଏ ଜୀବନେ ପୂର୍ଣ୍ଣ ହେଉ ଅନନ୍ତ ଆମୋଦ

ଅବସାଦ ଘୁଞ୍ଚୁ ଦେବ, ଜାଗୁ ହୃଦେ ବୋଧ ।

Image